ଜନ୍ମଦିନରେ ଫ୍ୟାନ୍ସଙ୍କୁ ଖାସ୍ ଅପିଲ୍ କଲେ ଅଭିନେତା ସଲମାନ୍ ଖାନ୍, ଘର ବାହାରେ ଲଗାଇଲେ ଏଭଳି ନୋଟିସ୍
27/12/2020 at 9:18 AM

ମୁମ୍ବାଇ ୨୭।୧୨: ଆଜି ହେଉଛି ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ଙ୍କ ଜନ୍ମଦିନ । ସଲମାନ୍ ଆଜି ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି । ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ହେବ ସଲମାନ୍ ବଲିଉଡ୍ ରେ ରାଜ୍ କରୁଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ ତାଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ସମ୍ମୁଖରେ ଫ୍ୟାନ୍ସ ଭିଡ ଲାଗଇଥାନ୍ତି ତାଙ୍କର ଟିକିଏ ଝଲକ ପାଇବା ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ । ମାତ୍ର ଚଳିତ ବର୍ଷ କରୋନା ପାଇଁ ସଲମାନ୍ ପୂର୍ବରୁ ହିଁ ସତର୍କ ହୋଇଯାଇଛନ୍ତି । ସେ ତାଙ୍କ ଫ୍ୟାନ୍ସଙ୍କୁ କୋଭିଡ୍-୧୯ଠାରୁ ବଞ୍ଚାଇବା ପାଇଁ ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।

ସଲମାନ୍ ତାଙ୍କ ଜନ୍ମଦିନ ପୂର୍ବରୁ ହିଁ ତାଙ୍କ ଆପାର୍ଟମେଣ୍ଟ ବାହାରେ ଏକ ନୋଟିସ୍ ଲଗାଇଛନ୍ତି । ଏହି ନୋଟିସ୍ ରେ ସେ ତାଙ୍କ ଫ୍ୟାନ୍ସଙ୍କୁ ଏକ ଖାସ୍ ମେସେଜ୍ ଦେଇଛନ୍ତି ଏବଂ ତାଙ୍କ ଘର ବାହାରେ ଭିଡ ନ ଜମାଇବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଅପିଲ୍ ମଧ୍ୟ କରିଛନ୍ତି । ଏହି ନୋଟିସ୍ ମାଧ୍ୟମରେ ସେ ତାଙ୍କ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଯେ, ସେ ଚଳିତବର୍ଷ ଜନ୍ମଦିନରେ ଘରେ ରହିବେନାହିଁ । ଅର୍ଥାତ୍ ସେ ତାଙ୍କ ଜନ୍ମଦିନରେ ଏଥର ଫ୍ୟାନ୍ସଙ୍କୁ ଭେଟିବେନାହିଁ ।
ସଲମାନ୍ ଖାନ୍ ଙ୍କ ତରଫରୁ ଜାରି କରାଯାଇଥିବା ନୋଟିସ୍ ରେ ଲେଖାଯାଇଛି ଯେ, ‘ପ୍ରତିବର୍ଷ ମୋତେ ମୋ ଜନ୍ମଦିନରେ ଫ୍ୟାନ୍ସଙ୍କ ତରଫରୁ ବହୁତ ଭଲପାଇବା ମିଳିଥାଏ, ମାତ୍ର ଚଳିତବର୍ଷ କରୋନା ଯୋଗୁଁ ମୁଁ ଆପଣମାନଙ୍କୁ ଅପିଲ୍ କରୁଛି ଯେ, ଘର ବାହାରେ ଭିଡ ଜମାନ୍ତୁନାହିଁ ଏବଂ ସାମାଜିକ ଦୂରତା ପାଳନ କରନ୍ତୁ । ମାସ୍କ ପିନ୍ଧନ୍ତୁ, ସାନିଟାଇଜ୍ କରନ୍ତୁ । ମୁଁ ଏବେ ଗ୍ୟାଲାକ୍ସିରେ ନାହିଁ ।’