ପ୍ରଖ୍ୟାତ ବଲିଉଡ ଅଭିନେତା ଇର୍ଫାନ ଖାନଙ୍କ ମା ସଇଦା ବେଗମଙ୍କ ପରଲୋକ
25/04/2020 at 8:23 PM

ଜୟପୁର: ପ୍ରଖ୍ୟାତ ବଲିଉଡ କଳାକାର ଇର୍ଫାନ ଖାନଙ୍କ ମା ସଇଦା ବେଗମଙ୍କର ଶନିବାର ପରଲୋକ ହୋଇଛି। ୯୫ ବର୍ଷ ବୟସ୍କା ସଇଦା ରାଜସ୍ଥାନର ଜୟପୁରସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ କରୋନା ଲକଡାଉନ ଯୋଗୁ ଇର୍ଫାନ ବିଦେଶରେ ଅଟକି ରହିଛନ୍ତି। ଏଣୁ ମାଁଙ୍କ ଶେଷ ଦର୍ଶନରୁ ବଞ୍ଚିତ ହୋଇଥିବା ବେଳେ ଅନ୍ତ୍ୟେଷ୍ଟିରେ ବି ସାମିଲ ହୋଇପାରିବେନି ବୋଲି ଜଣାପଡିଛି।

ଇର୍ଫାନ କ୍ୟାନସର ଚିକିତ୍ସା ଲାଗି ୨୦୧୭ ମସିହାରେ ବିଦେଶ ଯାଇଥିଲେ। ସେବେଠାରୁ ସେ ପ୍ରାୟ ସମୟ ବିଦେଶରେ ଅବସ୍ଥାନ କରୁଛନ୍ତି। ଇର୍ଫାନଙ୍କ ମାତୃବିୟୋଗରେ ଫିଲ୍ମ ‘ପିକୁ’ର ନିର୍ଦ୍ଦେଶକ ଗଭୀର ଶୋକ ବ୍ୟକ୍ତ କରିଥିବା ବେଳେ ଏପର୍ଯ୍ୟନ୍ତ ଇର୍ଫାନଙ୍କ ସହ କଥା ହୋଇପାରିନଥିବା କହିଛନ୍ତି। ସୂଚନା ଯୋଗ୍ୟ ଯେ ଇର୍ଫାନ ଏହା ପୂର୍ବରୁ ତାଙ୍କ ଫିଲ୍ମ ‘ଅଙ୍ଗ୍ରେଜି ମିଡିୟମ’ର ସୁଟିଂ ଲାଗି ଇଣ୍ଡିଆ ଆସିଥିଲେ। ଫିଲ୍ମ ମୁକ୍ତିଲାଭ କରିବା ପରେ ସେ ତାଙ୍କର ଚିକିତ୍ସା ଲାଗି ପୁଣି ବିଦେଶ ଚାଲିଯାଇଛନ୍ତି।

ସାରା ବିଶ୍ୱରେ ଏବେ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ଏଣୁ ବିଭିନ୍ନ ଦେଶ ଲକଡାଉନ୍ ଘୋଷଣା କରିଥିବା ବେଳେ ଭାରତରେ ମଧ୍ୟ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା ହୋଇଛି। ଏଣୁ ବିଦେଶରୁ ସମସ୍ତ ବିମାନ ଚଳାଚଳ ବନ୍ଦ ରହିଥିବା ବେଳେ ଦେଶରେ ମଧ୍ୟ ବିମାନ ଓ ରେଳ ଚଳାଚଳ ବନ୍ଦ ରହିଛି।