କଲର ଟ୍ୟୁନ୍ରେ ଆଉ ଶୁଣାଯିବନି ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କଣ୍ଠସ୍ବର, ଜାନୁୟାରୀ ୧୬ରୁ ଶୁଣିବାକୁ ମିଳିବ ନୂଆ ହେଲୋ ଟ୍ୟୁନ୍
14/01/2021 at 6:01 PM

ନୂଆଦିଲ୍ଲୀ ୧୪/୦୧ : ଭାରତରେ କରୋନା ମହାମାରୀ ସମୟରେ ଲୋକମାନଙ୍କୁ ବ୍ୟାପକ ଭାବେ ସଚେନତ କରାଯାଇଛି । ଜାନୁୟାରୀ ୨୦୨୦ରେ ପ୍ରଥମେ କରୋନାର ପ୍ରଥମ ଘଟଣା ସାମ୍ନାକୁ ଆସିଥିଲା । ପରେ ମାର୍ଚ୍ଚ ୨୦୨୦ରେ ସଂକ୍ରମଣ ମାମଲା ବୃଦ୍ଧି ପାଇବାରୁ ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏହାରି ମଧ୍ୟରେ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଆସିଛି କରୋନା ସଚେତନତା କଲର ଟ୍ୟୁନ୍ (ହେଲୋ ଟ୍ୟୁନ୍) । ଏହା ପ୍ରାୟତଃ ପ୍ରତି କଲ ଆରମ୍ଭରୁ ଣୁଣିବାକୁ ମିଳୁଥିଲା ।
ଏହି କଲରଟ୍ୟୁନ୍କୁ ବାରମ୍ବାର ଶୁଣି ଅନେକାଂଶରେ ଜନସାଧାରଣ ବିରକ୍ତି ପ୍ରକାଶ କରିଥିଲେ । ତେବେ ଅକ୍ଟୋବର ୨୦୨୦ରୁ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କଣ୍ଠରୁ ଶୁଣାଯାଉଥିବା କଲର ଟ୍ୟୁନରେ ବ୍ୟତିବ୍ୟସ୍ତ ହୋଇ ପଡିଥିଲେ ଜନସାଧାରଣ । ଏହାକୁ ତୁରନ୍ତ ହଟାଇବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ରୁଜୁ କରାଯାଇଥିଲା ।
ତେବେ ଆସନ୍ତା ୧୫ ଜାନୁୟାରୀ ଶୁକ୍ରବାର ଠାରୁ କରୋନା କଲର ଟ୍ୟୁନ୍ରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ସ୍ବର ଶୁଣାଯିବ ନାହିଁ । କୋର୍ଟରେ ହୋଇଥିବା ଆବେଦନକୁ ନେଇ ଏହା ଶୁଣାଯାଇନାହିଁ ବରଂ ଏବେ କରୋନା ଟିକାକରଣ ନେଇ ନୂଆ କଲର ଟ୍ୟୁନ୍ ଶୁଣାଯିବ । ସେଥିପାଇଁ ପରୁଣା କଲର ଟ୍ୟୁନ୍କୁ ହଟାଯିବ ବୋଲି ସୂଚନା ମିଳିଛି ।
ଦେଶରେ ଜାନୁୟାରୀ ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଜାନୁୟାରୀ ୧୫ରୁ କରୋନା କଲର ଟ୍ୟୁନ୍ ହଟାଯିବ ଏବଂ ଟିକାକରଣ ନେଇ କଲର ଟ୍ୟୁନ୍ ଶୁଣାଯିବ । ଏ ନେଇ ପ୍ରସ୍ତୁକି ମଧ୍ୟ ଶେଷ ହୋଇଥିବା ସୂଚନା ମଳିଛି । ଦେଶରେ କରୋନା ଟିକାକରଣର ଗାଇଡଲାଇନ୍ ଏବଂ ସଚେତନତାଧର୍ମୀ ବାର୍ତ୍ତା ଏଥିରେ ଶୁଣାଯାଇପାରେ ବୋଲି ଅନୁମାନ କରାଯାଉଛି ।
କରୋନା କଲର ଟ୍ୟୁନ୍ରେ ପ୍ରଥମେ ଜସଲୀନ୍ ଭଲ୍ଲାଙ୍କର କଣ୍ଠ ଶୁଣିବାକୁ ମିଳୁଥିଲା । ଏହି ଦୁଇ କଲର ଟ୍ୟୁନ୍ ଗତ ପ୍ରାୟ ୮ ମାସ ହେଲା ସମସ୍ତଙ୍କୁ ଶୁଣାଯାଉଛି । ପୂର୍ବରୁ ଅନେକ ଲୋକ ଏହାକୁ ନେଇ ଥଟ୍ଟା ପରିହାସ କରି ଆସିଛନ୍ତି । ତେଣୁ ଏହାକୁ ହଟାଇବାକୁ ଏବେ ଲୋକମାନେ ଆଇନର ଆଶ୍ରୟ ନେଇଥିଲେ । ଏହା ସହ ବିଗ୍ ବିଙ୍କ କଣ୍ଠରେ ଶୁଣାଯାଉଥିବା କଲର ଟ୍ୟୁନ୍କୁ ହଟାଯିବା ପାଇଁ ମଧ୍ୟ କୋର୍ଟରେ ଆବେଦନ ହୋଇଥିଲା ।