ବିରୋଧୀଙ୍କ ଆକ୍ଷେପକୁ ସହି ପାରିଲେନି, ଏବେ ଯୁକ୍ତ ୨ରେ ନାମ ଲେଖାଇଲେ ଦଶମ ପାସ୍ ଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | August 10, 2020 IST

ବୋକାରୋ ୧୦।୦୮: ଝାଡଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ବର୍ତ୍ତମାନ ଯୁକ୍ତ ୨ ପଢିବାକୁ ମନସ୍ଥ କରିଛନ୍ତି। ଏଥିପାଇଁ ସେ ନିଜର ନାମ ମଧ୍ୟ ଲେଖାଇଛନ୍ତି। କାରଣ ବିରୋଧୀ ତାଙ୍କୁ ସର୍ବଦା ଦଶମ ପାସ୍ ଶିକ୍ଷା ମନ୍ତ୍ରୀ କହି ଆକ୍ଷେପ କରୁଥିଲେ। ଏଥିରେ ଅସନ୍ତୁଷ୍ଟ ଏବଂ ମର୍ମାହତ ହୋଇ ବିରୋଧୀଙ୍କୁ ଜବାବ ଦେବାକୁ ଆଗକୁ ପଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ସୋମବାର ବୋକାରୋର ନାଓ୍ଵାଡିହ ସ୍ଥିତ ଦେବୀ ମହତୋ ସ୍ମାରକ ଇଣ୍ଟର ମହାବିଦ୍ୟାଳୟରେ ନିଜ ନାମ ଲେଖାଇଛନ୍ତି। ମନ୍ତ୍ରୀ ଖୋଦ୍ କଲେଜ ପହଞ୍ଚି କଳା ବିଭାଗରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର ଭାବେ ନାମ ଲେଖାଇଛନ୍ତି। ଏହି ସମୟରେ କଲେଜର ଛାତ୍ର-ଛାତ୍ରୀ ଏହା ଜାଣି ଚକିତ ହୋଇ ଯାଇଥିଲେ ଯେ ଶିକ୍ଷା ମନ୍ତ୍ରୀ ତାଙ୍କ ସହ ଶିକ୍ଷା ଗ୍ରହଣ କରିବେ।

ଛାତ୍ରୀ ଆରତୀ କୁମାର ଓ ପ୍ରିୟଙ୍କା କୌଶଳ କହିଛନ୍ତି ଏହି ଖବର ଶୁଣି ବହୁତ ଭଲ ଲାଗୁଛି ଯେ ତାଙ୍କ ସହ ମନ୍ତ୍ରୀ ବସିବେ ଏବଂ ପାଠ ପଢିବେ।

ମ୍ୟାଟ୍ରିକ ପରେ ଛାଡି ଦେଇଥିଲେ ପାଠ ପଢା

୫୩ ବର୍ଷୀୟ ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ କହିଛନ୍ତି ସେ ୧୯୯୫ରେ ଦଶମ ଶ୍ରେଣୀ ପରୀକ୍ଷାରେ ସେକେଣ୍ଡ ଡିଭିଜନରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ସେ ପାଠପଢା ଛାଡି ଦେଇଥିଲେ। ମାତ୍ର ଯେବେ ରାଜ୍ୟର ମନ୍ତ୍ରୀ ଭାବେ ସେ ଶପଥ ନେଲେ ତେବେ ବିରୋଧୀ ଦଳର ନେତା ଆକ୍ଷେପ କରି ତାଙ୍କୁ ଦଶମ ପାସ୍ ଶିକ୍ଷା ମନ୍ତ୍ରୀ କହିଥିଲେ।

ମନ୍ତ୍ରୀ ବିରୋଧୀଙ୍କ ତାତ୍ସଲ୍ୟକୁ ଚାଲେଞ୍ଜ ଭାବେ ଗ୍ରହଣ କରି ଯୁକ୍ତ ୨ ପଢା ପୂରା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ନିଜେ ପଢିବେ ଏବଂ ପିଲାଙ୍କୁ ଉତ୍ତମ ଶିକ୍ଷା ଦେବାର କାମ ମଧ୍ୟ କରିବେ। ଶିକ୍ଷାଲାଭ କରିବାରେ କୌଣସି ବୟସ ସୀମା ନଥାଏ। ସେ ନିଜର ଦାୟିତ୍ଵ ନିର୍ବାହ କରି ଶିକ୍ଷାକୁ ଏକ ନୂତନ ସ୍ତରରେ ପହଞ୍ଚାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.