ସମୁଦ୍ରରେ ଭାସୁଛି ୪୦ ଫୁଟ ତିମିର ମୃତଦେହ

Published By : Prameya-News7 Bureau | May 24, 2020 IST

ମହାକାଳପଡ଼ା ୨୪।୦୫: କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ସାମୁଦ୍ରିକ ଅଭୟାରଣ୍ୟର ଗହୀରମଥା ରେଞ୍ଜ୍‌ ଅଧୀନ ଅଗରନାସୀ ସମୁଦ୍ରରେ ଏକ ବିରାଟକାୟ ତିମିର ମୃତଦେହ ଆଜି ଭାସୁଥିବାର ଦେଖିବାକୁ ମିଳିଛି । ମୃତ ତିମିର ଲମ୍ୱ ପ୍ରାୟ ୪୦ରୁ ୪୨ ଫୁଟ ହେବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଦୀର୍ଘ ୪ ବର୍ଷ ହେବ ଭିତରକନିକା ସାମୁଦ୍ରିକ ଅଭୟାରଣ୍ୟ ଉପକୂଳରେ ବିଶାଳ ତିମିର ମୃତଦେହ ଦେଖିବାକୁ ମିଳୁଛି । ଏହି ତିମିର ମୃତ୍ୟୁର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇପାରିନି । ଖବର ପାଇ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ତଦନ୍ତ ଚଳାଇଛନ୍ତି । ଗତ ୧୯ ଓ ୨୦ ତାରିଖରେ ହୋଇଥିବା ମହାବାତ୍ୟା ଅମ୍‌ପନ୍‌ରେ ତିମିର ମୃତ୍ୟୁ ହୋଇଥାଇପାରେ ବୋଲି ରାଜନଗର ଡିଏଫ୍‍ଓ ବିକାଶ ରଞ୍ଜନ ଦାଶ କହିଛନ୍ତି । ଡିଏଫ୍‌ଓଙ୍କ କହିବାନୁସାରେ ଏନେଇ ଅନୁସନ୍ଧାନ ଜାରି ରହିଛି । ଏଥିପାଇଁ ରାଜନଗର ବନ ବିଭାଗ ତିମି ମାଛ ବିଶାରଦମାନଙ୍କ ସହାୟତା ଲୋଡ଼ିଛନ୍ତି । ଏହି ଅଞ୍ଚଳରେ ଏହା ଚତୁର୍ଥ ମୃତ ତିମି ଉଦ୍ଧାର ଘଟଣା ବୋଲି ଜଣାପଡ଼ିଛି ।

୨୦୧୭ ମସିହାରେ ଏହି ସମୁଦ୍ର ଉପକୂଳର ହାବେଳିଖଟି ନିକଟରେ ଏକ ବିଶାଳ ତିମିର ଗଳିତ ମୃତଦେହ ଅଧା ବାଲିରେ ପୋତି ହୋଇଥିବା ଦେଖିବାକୁ ମିଳିଥିଲା । ୨୦୧୮ ମସିହାରେ ହାବେଳିଖଟି ଉପକୂଳରେ ୫୨ ଫୁଟ ଲମ୍ୱ ଏକ ତିମିର ଗଳିତ ଶରୀର ପଡ଼ିଥିଲା । ୨୦୧୯ରେ ଆଉ ଏକ ତିମିର ମୃତଦେହ ଭିତରକନିକାର ବାଉଁଶଗଡ଼ି ନଦୀର ଅହିରାଜପୁର ଗ୍ରାମରେ ଦେଖାଯାଇଥିଲା । ଅଗରନାସୀ ସ୍ଥିତିକୁ ଦେଖିଲେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ପାଖରୁ ମାତ୍ର ୩ରୁ ୪ କିଲୋମିଟର ଜଳପଥରେ ଯିବାକୁ ପଡ଼େ । ଏଠାରେ ଅଲିଭ ରିଡ୍‌ଲେ କଇଁଛଙ୍କୁ ସୁରକ୍ଷା ଦେବାକୁ ବନ ବିଭାଗର ଏକ ଅସ୍ଥାୟୀ କ୍ୟାମ୍ପ ରହିଥାଏ । ଏଠାରେ ୫ରୁ ଊଦ୍ଧ୍ୱ କର୍ମଚାରୀ ପ୍ରହରା ଦେଇଥାନ୍ତି । ଏଠାରେ ବିଶାଳ ତିମିର ମୃତଦେହ ଉଦ୍ଧାର ହେବା ପରେ ଅଭୟାରଣ୍ୟର ବନ ବିଭାଗ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । କିଛି ପରିବେଶବିତ୍‍ କହିଛନ୍ତି, ସମୁଦ୍ର ପ୍ରଦୂଷଣ, ତିମି-ତିମି ମଧ୍ୟରେ ଲଢ଼େଇ, ତିମି-ସାର୍କ ମଧ୍ୟରେ ଲଢ଼େଇ, ପ୍ରାକୃତିକ ମରଣ କିମ୍ୱା ସମୁଦ୍ର ମଝିରେ ବାହାର ଦେଶର ତିମି ଶିକାରୀଙ୍କ ଯୋଗୁଁ ତିମିଙ୍କର ମୃତ୍ୟୁ ଘଟେ ।

ମିଆଁମାର ଅଞ୍ଚଳର ତିମି ଶିକାରୀଙ୍କର ଏଭଳି କାର୍ଯ୍ୟ ହୋଇଥାଇପାରେ ବୋଲି ବି ଆଶଙ୍କା କରାଯାଉଛି । କଣ୍ଟା ଦ୍ୱାରା ତିମି ଶିକାର କରିବାର କୌଶଳ ସେମାନଙ୍କୁ ଜଣାଅଛି ବୋଲି ଅଞ୍ଚଳରେ ଆଲୋଚନା ହେଉଛି । ଗତ ନଭେମ୍ୱର ୧ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ କଇଁଛ ସୁରକ୍ଷା ନିମନ୍ତେ ଏଠାରେ ପାଟ୍ରୋଲିଂ ଚାଲୁରହିଛି । ଏତିକିବେଳେ ଏ ଅଘଟଣ ନାନା ପ୍ରଶ୍ନ ଉଠାଇଛି । ଯାହା କି ତଦନ୍ତ ସାପେକ୍ଷ । ଅପରପକ୍ଷରେ ଏବେ ଯେଉଁ ତିମିର ମୃତଦେହ ମିଳିଛି ତାହା ଗଭୀର ସମୁଦ୍ରରେ ମହାବାତ୍ୟା ମାଡ଼ ଜନିତ କାରଣରୁ ହୋଇଥାଇପାରେ ବୋଲି ବନ ବିଭାଗ ସୂଚନା ଦେଇଛି । କେନ୍ଦ୍ରାପଡ଼ା ସମୁଦ୍ର ଉପକୂଳର ପାଖାପାଖି ଅଞ୍ଚଳର ଗଭୀର ସମୁଦ୍ରରେ ତିମିମାନଙ୍କ ବାସସ୍ଥାନ ଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.