'ହାଲୋ...ଅଫିସକୁ ଆସି ଆପଣଙ୍କ ଡେଥ୍ ସାର୍ଟିଫିକେଟ୍ ନେଇଯାଆନ୍ତୁ...' ମ୍ୟୁନିସିପାଲିଟି ଅଫିସରୁ ଆସିଲା ଏମିତି କଲ୍, ତା'ପରେ

Published By : Prameya-News7 Bureau | July 01, 2021 IST

ମୁମ୍ବାଇ, ୦୧/୦୭:    ସେ ବଞ୍ଚିଛନ୍ତି । ଭଲ ମଧ୍ୟ ଅଛନ୍ତି । କିନ୍ତୁ ମ୍ୟୁନିସିପାଲଟି ଅଫିସରୁ ଆସିଲା କଲ୍ । ମୃତ୍ୟୁ ପ୍ରମାଣପତ୍ର ନେବାକୁ କୁହାଗଲା । ଥାଣେ ମ୍ୟୁନିସିପାଲ କର୍ପୋରେସନ ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ୫୪ ବର୍ଷୀୟ ବ୍ୟକ୍ତି ।

ବ୍ୟକ୍ତିଜଣଙ୍କ ହେଲେ ଚନ୍ଦ୍ରଶେଖର ଦେଶାଇ । ସେ କହିଛନ୍ତି ଯେ, ସେ ଥାଣେର ମନପଡାରେ ରୁହନ୍ତି । ସେ ଗତ ଅଗଷ୍ଟ ୨୦୨୦ରେ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ଘରେ ତାଙ୍କର ଚିକିତ୍ସା ହୋଇଥିଲା । ସେହି ସମୟରେ ତାଙ୍କୁ ସ୍ୱାସ୍ଥ୍ୟାବସ୍ଥା ବାବଦରେ ହସ୍ପିଟାଲରୁ କଲ୍ ଆସିଥିଲା । ଏବେ ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପାଖକୁ ମ୍ୟୁନିସିପାଲ ଅଫିସରୁ କଲ୍ ଆସିଥିଲେ । ଜଣେ ମହିଳା ତାଙ୍କୁ କଲ୍ କରିଥିଲେ । ମହିଳାଜଣଙ୍କ ସ୍ୱାସ୍ଥ୍ୟକର୍ମୀ ବୋଲି ପରିଚୟ ଦେବା ସହ ଚନ୍ଦ୍ରଶେଖର ଦେଶାଇଙ୍କୁ ମୃତ୍ୟୁ ପ୍ରମାଣପତ୍ର ନେବାକୁ କହିଥିଲେ ।

ମହିଳାଜଣଙ୍କକହିଥିଲେ ଯେ, ମ୍ୟୁନିସିପାଲ ଅଫିସ ଏକ ମୃତ୍ୟୁ ପ୍ରମାଣପତ୍ର ଜାରି କରିବାକୁ କହୁଛି । ଯେତେବେଳେ ସେ ନିଜେ ଚନ୍ଦ୍ରଶେଖର ବୋଲି କହିଥିଲେ ମହିଳାଜଣଙ୍କ ଚକିତ ହୋଇଯାଇଥିଲେ । ଏପରିକି ତାଙ୍କ ପରିବାରର କେହି ହେଲେ ମଧ୍ୟ କରୋନାରେ ପ୍ରାଣ ହରାଇନାହାଁନ୍ତି ବୋଲି ସେ କହିଥିଲେ । ଏହାପରେ ମହିଳାଜଣଙ୍କ କଲ୍ କାଟି ଦେଇଥିଲେ ।

ଘଟଣା ପରେ ଚନ୍ଦ୍ରଶେଖର ମ୍ୟୁନିସିପାଲ ଅଫିସ ଯାଇ ଅଭିଯୋଗ କରିଥିଲେ । କିନ୍ତୁ କେହି କର୍ମଚାରୀ ନିଜ ଭୁଲ ସ୍ୱୀକାର କରିନଥିଲେ । ବରଂ ତାଙ୍କ ନାମ ମୃତ୍ୟୁ ତାଲିକାରେ ଥିବା କହିଥିଲେ । ଏବାବଦରେ ସେ ଆଇସିଏମଆରରେ ଅଭିଯୋଗ କରିଥିଲେ । ଆଇସିଏମଆର କର୍ତୃପକ୍ଷ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.