ବଡି ବିଲ୍ଡରଙ୍କୁ ହାଣିଦେଲେ, ଖଣ୍ଡା ଚୋଟରେ କଟିଗଲା ପାପୁଲି

Published By : Prameya-News7 Bureau | March 08, 2021 IST

ପୁରୀ,୦୮/୦୩: ପୁରୀ ଟାଉନ୍‌ ଥାନା ଅଞ୍ଚଳରେ ଆତଙ୍କ । ପୁଣି ଆତଙ୍କ ଖେଳାଇଲେ ଅପରାଧୀ । ହାଡ଼ଗୋଡ଼ିଆସାହି ସ୍ଥିତ ହାଡିଗୋହିରୀ ହୋଇଛି ରକ୍ତରଞ୍ଜିତ । ଜଣେ ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ହାଣିଛନ୍ତି ୮ ଦୁର୍ବୃତ୍ତ । ଚୋଟ ଖାଇଥିବା ଯୁବକ ଜଣକ ହାଡ଼ଗୋଡିଆ ସାହିର ବିକାଶ ସାହୁ (୨୮) ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଓ ପଡୋଶୀମାନେ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରିଛନ୍ତି ।

ପୋଲିସର କହିବାନୁସା, ରବିବାର ସନ୍ଧ୍ୟା ପ୍ରାୟ ୬ଟା ୪୫ରେ ଏକାକୀ ଘରକୁ ନିଜ ବାଇକ୍‌ ଯୋଗେ ବଡଦାଣ୍ଡରୁ ଯାଉଥିଲେ ବିକାଶ । ହାଡଗୋଡିଆ ସାହିରେ ଥିବା ଏକ ହାଡିଗୋହିରୀଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ଜଗି ରହିଥିଲେ ୮ ଦୁର୍ବୃତ୍ତ । ଧାରୁଆ ଅସ୍ତ୍ର ଧରି ସମସ୍ତେ ପ୍ରସ୍ତୁତ ଥିଲେ । ପାଖାପାଖି ହେବା ମାତ୍ରେ ବିକାଶଙ୍କୁ ଅଟକାଇ ହାଡିଗୋହିରୀକୁ ଟାଣି ନେଇ ହାଣିଥିଲେ । ବିକାଶ ଜଣେ ବଡିବିଲ୍ଡର୍‌ । ତେଣୁ ଏମାନଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ଯଥେଷ୍ଟ ଚେଷ୍ଟା କରିଥିଲେ । ହେଲେ ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ସେ ଅବଶ ହୋଇ ପଡିଥିଲେ । ମୁଣ୍ଡ ସହିତ ଦୁଇ ହାତକୁ ହାଣିଥିଲେ ଦୁର୍ବୃତ୍ତ ।

ହାତ ସହିତ ବାମ ପାପୁଲି ଅଧା କଟି ଯିବା ସହ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସେ ପଡିଯାଇଥିବାବେଳେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ବିକାଶଙ୍କ ବାଇକ୍‌କୁ ବି ହାଣି ଓ ବାଡେଇ ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ଚିତ୍କାର ଶୁଣି ସାହି ଲୋକେ ସେଠାକୁ ଦୌଡି ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ଘଟଣା ପରେ ସାହିରେ ପୋଲିସ ଛାଉଣୀ ହୋଇଛି । ଦୁର୍ବୃତ୍ତଙ୍କ ପତ୍ତା ପାଇ ନଥିବାବେଳେ ପୋଲିସ ଏମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।

ପୂର୍ବ ବିବାଦକୁ କେନ୍ଦ୍ର କରି ଶନିବାର ବିକାଶ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ବିକାଶ ଏକ ସାଇକେଲ୍‌ ଭାଙ୍ଗି ଦେଇଥିଲେ ବୋଲି ସାହି ଲୋକେ କହିଛନ୍ତି । ଏହି ଘଟଣାରୁ ବିବାଦ ବଢ଼ିଥିବାବେଳେ ରବିବାର ସନ୍ଧ୍ୟାରେ ତାଙ୍କୁ ଦୁର୍ବୃତ୍ତ ହତ୍ୟା ଉଦ୍ୟମ କରିଥିବା ପୋଲିସକୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.