ଅନେକ ସପ୍ତାହ ନିଖୋଜ ପରେ ୮ ଫୁଟ୍ ଗାତ ତଳୁ ମିଳିଲା ପରିବାରର ୫ ଜଣଙ୍କ ଶବ, ଜଘନ୍ୟ ହତ୍ୟାକାଣ୍ଡର କାରଣ ଖୋଜୁଛି ପୋଲିସ

Published By : Prameya-News7 Bureau | June 30, 2021 IST

ଦେବାସ ୩୦।୦୬: ପରିବାରର ୫ ଜଣଙ୍କୁ ଦୁଇ ଭାଇ ନିର୍ମମ ଭାବେ ହତ୍ୟା କଲେ।  ପୁଣି ମାଟିରେ ପୋତି ଦେଲେ। ପାଞ୍ଚ ଜଣଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ପୂର୍ବରୁ ଖୋଳା ଯାଇଥିବା ୮ ରୁ ୧୦ ଫୁଟ୍ ଗାତରେ ଶବଗୁଡିକୁ ପୋତି ଦେଲେ। ଏହି  ଜଘନ୍ୟ ଘଟଣା ଘଟିଛି ମଧ୍ୟ ପ୍ରଦେଶର ଦେବାସ ଜିଲ୍ଲାର ଦବଙ୍ଗ ଗାଁରେ। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କ ସହିତ ଚାରିଜଣ ସନ୍ଦିଗ୍ଧଙ୍କୁ ପୋଲିସ ମଙ୍ଗଳବାର ରାତିରେ ଗିରଫ କରିଛି। ବାକି ଛଅ ଜଣ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି।

ପୋଲିସ ଜମିରେ ମାଟି ଖୋଳି ମୃତକଙ୍କ ଶବ ବାହାର କରିଛି। ଶବଗୁଡିକ ପଚାସଢା ଅବସ୍ଥାରେ ମିଳିଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୪୫ ବର୍ଷୀୟ ମମତା କାସ୍ତେ, ତାଙ୍କ ଦୁଇ ଝିଅ ୨୧ ବର୍ଷୀୟ ରୂପାଲି ଓ ୧୪ ବର୍ଷୀୟ ଦିବ୍ୟା ସାମିଲ୍। ଏହା ବ୍ୟତୀତ ମମତାଙ୍କ ଝିଆରି ପୂଜା ଓ ପୁତୁରା ପବନ ଅସଓ୍ଵାଲ ସାମିଲ୍। ପୂଜାର ବୟସ ୧୫ ବର୍ଷ ହୋଇଥିବା ବେଳେ ପବନର ବୟସ ୧୩ ବର୍ଷ  ହୋଇଥିଲା।

ସମସ୍ତ ମୃତକ ଦେବାସ ଜିଲ୍ଲାର ନେମାଭାର ଗାଁରୁ ମେ ୧୩ରୁ ନିଖୋଜ ହୋଇ ଯାଇଥିଲେ। ଜିଲ୍ଲାର ଅତିରିକ୍ତ ପୋଲିସ ଆରକ୍ଷୀ ଅଧୀକ୍ଷକ(ଏସପି) ସୂର୍ଯ୍ୟକାନ୍ତ ଶର୍ମା କହିଛନ୍ତି, ପୋଲିସ ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ସୁରେନ୍ଦ୍ର ସିଂହ ଚୌହ୍ଵାନ ଓ ଭୁରା ଚୌହ୍ଵାନ ନାମକ ଦୁଇ ଜଣ ଲୋକଙ୍କୁ ଗିରଫ କରିଛି। ଏଏସପି ଶର୍ମା କହିଛନ୍ତି, କାସ୍ତେ ଓ ଅସବାଲ ପରିବାରର ନିଖୋଜ ୫ ସଦସ୍ୟଙ୍କ ସନ୍ଧାନ ପାଇଁ ପୋଲିସର ୫ଟି ଦଳ ମେ ୧୩ରୁ ଜୁଟିଥିଲେ। ଜଣେ ସ୍ଥାନୀୟ ଲୋକ ପୋଲିସଙ୍କୁ ଜଣାଇଥିଲେ ଯେ, ରୂପାଲି ଓ ସୁରେନ୍ଦ୍ର ପରସ୍ପରକୁ  ଭଲ ପାଉଥିଲେ। ମାତ୍ର କିଛି ସପ୍ତାହ ପୂର୍ବେ ରୂପାଲୀଙ୍କ ବିବାହ ଅନ୍ୟ ଜଣେ ଯୁବତୀଙ୍କ ସହ ସ୍ଥିର ହୋଇ ଯାଇଥିଲା। ପୂରା ପରିବାର ନିଖୋଜ  ହେବା ପୂର୍ବରୁ ସୁରେନ୍ଦ୍ର ଓ ରୂପାଲିଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଝଗଡା ହୋଇଥିଲା।

ଶର୍ମା କହିଛନ୍ତି, ଗାଁ ଲୋକଙ୍କଠୁ ସୂଚନା ମିଳିବା ପରେ ପୋଲିସ ସୁରେନ୍ଦ୍ର ଓ ତାର ଭାଇ ଭୂରାକୁ ଗିରଫ କରିଥିଲା। ଜେରା  ବେଳେ ଉଭୟ ନିଜର ଦୋଷ ସ୍ଵୀକାର କରିବା ସହ ସମସ୍ତଙ୍କୁ ହତ୍ୟା କରି ଖେତରେ ପୋତି ଦେଇଥିବା କହିଥିଲେ। ଏହା ପରେ ପୋଲିସ ଆଠ ଫୁଟ ଗାତ ଖୋଳିବା ପରେ ଯାଇ ପାଞ୍ଚ ଜଣଙ୍କ ଶବ ମିଳିଥିଲା। କୌଣସି ଶବ ଶରୀରରେ କପଡା ନଥିଲା। ଅଭିଯୁକ୍ତମାନେ ଶବଗୁଡିକରୁ ସମସ୍ତ ପୋଷାକ କାଢି ଜାଳି ଦେଇଥିଲେ। କେବଳ ଏତିକି ନୁହେଁ ଶବ ଉପରେ ଲୁଣ ଓ ୟୁରିଆ ପକାଇ ଦେଇଥିଲେ, ଯଦ୍ଵାରା ଶରୀର ଶୀଘ୍ର ସଢି ନଷ୍ଟ ହୋଇଯିବ। ତଦନ୍ତ ପାଇଁ ଏହାକୁ ଫରେନ୍ସିକ ଲ୍ୟାବ୍ ପଠାଇ ପୋଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନରେ ଜୁଟି ଯାଇଛି। ଦୁଇ ଅଭିଯୁକ୍ତଙ୍କୁ ଜେରା କରାଯାଉଛି। ପୋଲିସ ଜାଣିବାକୁ ଚାହୁଁଛି ଯେ, ଅଭିଯୁକ୍ତ ଏବଂ ମୃତକଙ୍କ ପରିବାର ମଧ୍ୟରେ କଣ ବିବାଦ ଥିଲା ଏବଂ ଏତେ ବଡ ଜଘନ୍ୟ ଘଟଣା କେମିତି ଘଟିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.