୩୦ଜଣ ଏବଂ ୧୪ଟି ବାଇକ୍ର ଭାର ସହି ନପାରି ଚମ୍ବଲ ନଦୀରେ ଓଲଟିଲା ଡଙ୍ଗା : ୬ଜଣଙ୍କ ମୃତ୍ୟୁ
16/09/2020 at 12:46 PM

ଜୟପୁର ୧୬/୯: ରାଜସ୍ଥାନରେ ନଦୀ ପାର କରୁଥିବାବେଳେ ଗୋଟିଏ ଡଙ୍ଗାରେ ଥିବା ୩୦ରୁ ଅଧିକ ଲୋକ ପାଣିରେ ବୁଡ଼ି ଯାଇଥିଲେ। ଏମାନଙ୍କ ମଧ୍ୟରୁ ୨୪ଜଣଙ୍କୁ ନଦୀରୁ ସୁରକ୍ଷିତ ବାହାର କରାଯାଇଥିବାବେଳେ ୬ଜଣଙ୍କ ମୃତ୍ୟୁ ହୋଇଯାଇଛି। କୁହାଯାଉଛି ଯେ ସମସ୍ତେ କମଳେଶ୍ବର ଧାମ ଯିବା ପାଇଁ ଡଙ୍ଗାରେ ବସି ଚମ୍ବଲ ନଦୀ ପାର କରୁଥିଲେ।
ଜିଲ୍ଲାପାଳ ଏସପି ଘଟଣାସ୍ଥଳରେ ପହଞ୍ଚି ଯାଇଛନ୍ତି। ରେସକ୍ୟୁ ଅପରେସନ ଜାରି ରହିଛି ଏବଂ ଉଦ୍ଧାରକାରୀଙ୍କ ସାହାଯ୍ୟରେ ଶବ ବାହାର କରାଯାଉଛି। ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଏଥିରେ ଶୋକ ପ୍ରକାଶ କରିଛନ୍ତି। ଲୋକସଭା ସଚିବାଳୟ କୋଟା ଜିଲ୍ଲା କାର୍ଯ୍ୟାଳୟରୁ ଘଟଣାର ସୂଚନା ନେଉଛନ୍ତି।
ଇଟାଓ୍ବା ସହର ସହ ଲାଗିଥିବା ଖାତୋଲି ଅଞ୍ଚଳ ପାଖରେ ଏକ ଡଙ୍ଗା ଚମ୍ବଲ ନଦୀରେ ବୁଡ଼ି ଯାଇଥିଲା। ଲୋକେ ଡଙ୍ଗାରେ ନଦୀ ପାର କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ନଦୀ ପାର କରୁଥିବାବେଳେ ଡଙ୍ଗାରେ ପାଖାପାଖି ୩୦ଜଣ ବ୍ୟକ୍ତି ଥିଲେ ଏବଂ ବାଇକ୍ ମଧ୍ୟ ନିଜ ସହ ନେଇଯାଉଥିଲେ।
କୁହାଯାଉଛି ଯେ ଡଙ୍ଗାରେ ପାଖାପାଖି ୧୪ଟି ବାଇକ୍ ଥିଲା। ଘଟଣାର ସୂଚନା ମିଳିବା ମାତ୍ରେ ଆଖପାଖରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ଗାଁଲୋକଙ୍କୁ ବଞ୍ଚାଇବା ପାଇଁ ନଦୀରେ ପହଞ୍ଚିଥିଲେ।