ଦୁଇ ନୁହେଁ ୪ ବର୍ଷର ଫଳାଫଳକୁ ଆଧାର କରି ମାର୍କିଙ୍ଗ ହୋଇଛି, ଅସନ୍ତୁଷ୍ଟ ପିଲା ପରୀକ୍ଷା ଦେଇପାରିବେ : ବୋର୍ଡ କର୍ତ୍ତୃପକ୍ଷ

Published By : Prameya-News7 Bureau | June 28, 2021 IST

କଟକ ୨୮।୬: ମାଟ୍ରିକ୍ ଫଳାଫଳକୁ ନେଇ ଦେଖାଦେଇଥିବା ଅସନ୍ତୋଷ ପରେ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ସବୁ କିଛି ସ୍ଵଚ୍ଛତାର ସହ ହୋଇଛି । ବିକଳ୍ପ ଅଛି, ପିଲାମାନେ ଆଉଥରେ ପରୀକ୍ଷା ଦେଇ ପାରିବେ । ୨ ବର୍ଷ ନୁହେଁ ୪ ବର୍ଷର ଫଳାଫଳକୁ ଆଧାର କରି ମାର୍କିଂ ହୋଇଛି । ୨୦୧୭,୧୮,୧୯,୨୦ ଶିକ୍ଷା ବର୍ଷକୁ ଆଧାର କରି ମାର୍କିଙ୍ଗ ହୋଇଛି । ୨୨ଟି ସ୍କୁଲରେ ରେଜଲ୍ଟ ସଂଶୋଧନ ହେବାରେ କିଛି ସମସ୍ୟା ଥିଲା । ସେ ସ୍କୁଲଗୁଡ଼ିକ ଯଦିଓ ଜଗତିଂହପୁରର, କିନ୍ତୁ ସେ ସ୍କୁଲଗୁଡ଼ିକ ଗତବର୍ଷ କଟକ ଶିକ୍ଷା ଜିଲ୍ଲାରେ ସାମିଲ ହୋଇଛି । ତେଣୁ କୋଡ଼ ପରିବର୍ତ୍ତନକୁ ନେଇ ସମସ୍ୟା ଥିଲା । ଯାହାର ସମାଧାନ ହୋଇସାରିଛି ବୋଲି ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ନୈରାଶଜନକ ଫଳ ମିଳିବା ପରେ ବୋର୍ଡ ଅଫିସ୍ ସମ୍ମୁଖରେ ହୋ ହାଲ୍ଲା କରିଛନ୍ତି ଶତାଧିକ ଅଭିଭାବକ ଓ ଛାତ୍ରଛାତ୍ରୀ । କଟକ କଲେଜ ଛକଠାରେ ଥିବା ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ପରିସରରେ ମଧ୍ୟ ସୃଷ୍ଟି ହୋଇଥିଳା ଅଶାନ୍ତମୟ ପରିବେଶର ଦୃଶ୍ୟ ।

ଭଲ ଶିକ୍ଷାନୁଷ୍ଠାନ ଭାବେ ଏହି ସ୍କୁଲର ଯଥେଷ୍ଟ ଖ୍ୟାତି ରହିଥିବା ବେଳେ, ଚଳିତ ବର୍ଷର ରେଜଲ୍ଟ କିନ୍ତୁ ସମସ୍ତଙ୍କୁ ନିରାଶ କରୁଛି । ଏଥର ଏହି ସ୍କୁଲରୁ ୧୬୧ ବିଦ୍ୟାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ, ସେମାନଙ୍କ ଭିତରୁ ଅଧାରୁ ଅଧିକ ଛାତ୍ରଛାତ୍ରୀଙ୍କ ରେଜଲ୍ଟରେ ବ୍ୟାପକ ତ୍ରୁଟି ରହିଛି ।  ୯୦ ପ୍ରତିଶତରୁ ଅଧିକ ନମ୍ବର ସ୍କୁଲରେ ମିଳିଥିଲା, କିନ୍ତୁ ଫାଇନାଲ ରେଜଲ୍ଟ ବେଳକୁ ତାହା ୮୦ରୁ ୭୦ପ୍ରତିଶତରେ ସୀମିତ ରହିଛି ।  ତେଣୁ ଏ ପ୍ରକାରର ପ୍ରତିକ୍ରିୟା  ପ୍ରକାଶ ପାଇବାଟା ସ୍ଵାଭାବିକ ।  ତେଣେ ସ୍କୁଲ କର୍ତ୍ତୃପକ୍ଷ ବୋର୍ଡ ଉପରେ ଦୋଷ ଲଦି ଥିବାବେଳେ, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ଅଧିକାରୀ ଏ ସଂକ୍ରାନ୍ତରେ କିଛି ବି କହିବା ଉଚିତ ମନେ କଲେନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.