ଡ୍ରାଇଭରର ଆଖି ଲାଗିଯିବାରୁ ୨୦ ଫୁଟ ଉପରକୁ ଉଠି ଫେନ ଭଳିଆ ଘୂରିଲା ବିଏମଡବ୍ଲୁ କାର …
22/12/2018 at 3:42 PM

ସୋସିଆଲ ମିଡିଆରେ ବିଏମଡବ୍ଲୁ କାର ଦୁର୍ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି | ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ କାର ରୋଡ଼ ବେରିୟରକୁ ଧକ୍କା ଦେଇ ଉପରକୁ ଉଠିଯାଇ ସୁଡ଼ଙ୍ଗର ଛାତକୁ ଧକ୍କା ଦେଇଥିଲା | ସୁଡ଼ଙ୍ଗ ଛାତକୁ ଧକ୍କା ଦେବାପରେ କାର ଅନେକ ଥର ୩୬୦ ଡିଗ୍ରୀରେ ବୁଲିଥିଲା | ଏହି ଭିଡିଓକୁ ସ୍ଲୋଭାକିଆ ପୋଲିସ ଜାରି କରିଛି |

ଦୁର୍ଘଟଣା ଘଟାଇଥିବା ୪୪ ବର୍ଷ ବୟସ୍କ ଡ୍ରାଇଭର କିନ୍ତୁ ଦୁର୍ଘଟଣାରୁ ବର୍ତ୍ତୀ ଯାଇଥିଲେ | ଡ୍ରାଇଭରଙ୍କୁ କୌଣସି କ୍ଷତି ହୋଇନାହିଁ | ଦୁର୍ଘଟଣା ପରେ ଡ୍ରାଇଭରକୁ ଗିରଫ କରିଥିଲା ପୋଲିସ | ଡ୍ରାଇଭର ମଦ ପିଇ ଗାଡି ଚଳାଉଥିବା ଆଶଙ୍କା କରି ପୋଲିସ ଡ୍ରାଇଭରର ଆଲକହଲ ଟେଷ୍ଟ କରିଥିଲା | କିନ୍ତୁ ପୋଲିସକୁ ଡ୍ରାଇଭରଙ୍କ ଶରୀରରେ ଆଲକହଲ ମିଳିନଥିଲା | ଡ୍ରାଇଭର କହିବାନୁସାରେ ତାଙ୍କୁ ସେତେବେଳେ ଟିକେ ନିଦ ଲାଗିଯାଇଥିଲା | ଯାହାଫଳରେ ଏଭଳି ଦୁର୍ଘଟଣା ଘଟିଥିଲା |

ଭାଇରାଲ ଭିଡିଓ ମୁତାବିକ, କାର ପାଖାପାଖି ୨୦ ଫୁଟ ଉପରକୁ ଉଠି ପବନରେ ଉଡିଥିଲା | ଯେମିତି ଫିଲ୍ମରେ ହୋଇଥାଏ | ଗାଡିଟି ବେରିୟରକୁ ଧକ୍କା ଦେବା ପରେ ଭୟଙ୍କର ଭାବେ ସ୍ପାର୍କ ହୋଇଥିଲା | ଏହାପରେ ନିଆଁ ଜଳିଥିବା ଦୃଶ୍ୟମାନ ହୋଇଥିଲା | ଭିଡିଓ ଭାଇରାଲ ହେବା ପରେ ୨ ଦିନରେ ୧୯ ଲକ୍ଷ ଲୋକେ ଫେସବୁକରେ ଦେଖି ସାରିଛନ୍ତି |
ଘଟଣା ଉତ୍ତର-ପୂର୍ବ ସ୍ଲୋଭାକିଆର ପୋପରାଡ ଅଂଚଳରେ ଥିବା ଏକ ସୁଡ଼ଙ୍ଗରେ ଘଟିଥିଲା | ଦୁର୍ଘଟଣାଗ୍ରସ୍ତ କାର ପଛରେ ଆସୁଥିବା ଆଉ ଏକ ଗାଡି ଏହି ଦୁର୍ଘଟଣା ଦେଖି ଅଟକିଯାଇଥିଲା । ଦୁର୍ଘଟଣା ପରେ କାରର ବନେଟ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଛି ଏବଂ ଚକ ଗୁଡିକ ମଧ୍ୟ ବଙ୍କା ହୋଇଯାଇଛି |

ସ୍ଲୋଭାକିଆ ପୋଲିସ କହିଛି ଯେ, ଦୁର୍ଘଟଣା ଗୁରୁବାର ଭୋର ୫ଟା ବେଳେ ଘଟିଥିଲା | ପୋଲିସ କହିବାନୁଯାୟୀ ଡ୍ରାଇଭରକୁ ଅଚାନକ କିଛି ସମୟ ପାଇଁ ନିଦ ଲାଗିଯାଇଥିଲା | ୫ରୁ ୧୦ ସେକେଣ୍ଡ ପାଇଁ ଅଚାନକ ଡ୍ରାଇଭରର ଆଖି ଲାଗିଯିବାରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିଲା |