ସମ୍ଭାବ୍ୟ ବାତ୍ୟା ନେଇ ବିଏମସିର ଆଗୁଆ ପ୍ରସ୍ତୁତି, ଫୋକସରେ ଜିରୋ କାଜୁଆଲିଟି

Published By : Prameya-News7 Bureau | December 03, 2021 IST

ଭୁବନେଶ୍ୱର ୦୩/୧୨ : ସମ୍ଭାବ୍ୟ ବାତ୍ୟା ପାଇଁ ଭୁବନେଶ୍ୱର ମହାନଗର ନିଗମର ଆଗୁଆ ପ୍ରସ୍ତୁତି । ବିଏମସି କମିଶନର ସଞ୍ଜୟ ସିଂଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ଅଗ୍ନିଶମ, ପୂର୍ତ୍ତ, ୱାଟକୋ ଓ ବିଦ୍ୟୁତ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗୀୟ ଅଧିକାରୀ ସାମିଲ ଥିଲେ ।

ବିଏମସି ଇଲାକାରେ ମୋଟ ୭୨ଟି ଖାଲୁଆ ଅଞ୍ଚଳ ଚିହ୍ନଟ ହୋଇଥିବା ବୈଠକରେ କୁହାଯାଇଥିଲା । ଆବଶ୍ୟକ ସ୍ଥଳେ ଚିହ୍ନଟ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଛି । ଶତାଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଶୁଖିଲା ଓ ରନ୍ଧା ଖାଦ୍ୟ, ପାଣି ଓ ବିଦ୍ୟୁତ ସହ ପ୍ରସ୍ତୁତ ରହିବାକୁ ନିର୍ଦେଶ ମଧ୍ୟ ଦିଆଯାଇଛି । ବିଏମସି ଓ ଅଗ୍ନିଶମ ବିଭାଗର ୨୭ଟି ଜଳମଗ୍ନ ସ୍ଥାନରେ ମୋଟର ପମ୍ପ ସହ କର୍ମଚାରୀ ପ୍ରସ୍ତୁତ ରହିଛନ୍ତି ।

ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଓ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଟିମ ଗଠନ ହୋଇଛି । ତେବେ ବିଏମସିର ଫୋକସରେ ଜିରୋ କାଜୁଆଲିଟି । ଅର୍ଥାତ୍ କାହାରି ଧନଜୀବନ ହାନି ଯେପରି ନହୁଏ ସେ ଦିଗରେ ଦିଆଯାଇଛି ଗୁରୁତ୍ୱ । ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସବୁ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏପରିକି ଭୁବନେଶ୍ୱର ନଛାଡିବାକୁ ମଧ୍ୟ ନିର୍ଦେଶ ରହିଛି । ଆଜି ସନ୍ଧ୍ୟାରୁ ଇଭାକ୍ୟୁସନ୍ ହେବ ବୋଲି ବିଏମସି କମିଶନର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.