ତିନୋଟି କରୋନା ସଂକ୍ରମଣ ଘଟଣାରେ କୋଲକାତା-ଭୋପାଳ-ଦିଲ୍ଲୀ ଲିଙ୍କ୍

Published By : Prameya-News7 Bureau | April 04, 2020 IST

ଭୁବନେଶ୍ୱର ୦୪।୦୪ : ରାଜ୍ୟର ତିନୋଟି କରୋନା ସଂକ୍ରମିତ ଘଟଣାରେ ବିଦେଶ ଲିଙ୍କ୍‌ ଏବେ ଜଣାପଡିଛି । ଭୁବନେଶ୍ୱର ସୂର୍ଯ୍ୟନଗରର ରହୁଥିବା ପଞ୍ଚମ କରୋନ ଆକ୍ରାନ୍ତଙ୍କ ପରିବାର କିଛି ଦିନ ତଳେ କୋଲକାତା ଯାଇଥିଲେ । ବମିଖାଲର କରୋନା ସଂକ୍ରମିତ ତିନିଭାଇଙ୍କ ବାପା ଭୋପାଳରେ ଛାକିରି କରନ୍ତି , ସେ କରୋନାରେ ସଂକ୍ରମିତ । ଅନ୍ୟପଟେ ପୁରୀରେ ଠାବ ହୋଇଥିବା କରୋନା ସଂକ୍ରମିତ ବ୍ୟକ୍ତିଜଣଙ୍କ ରାଜଧାନୀର ବିଜେବି ନଗର ସ୍ଥିତ ଡାକ ଘରେ କାର୍ଯ୍ୟ କରନ୍ତି  । ସେ ନିକଟରେ ଦିଲ୍ଲୀ ଯାଇଥିଲେ ।  ରାଜଧାନୀର ଗୌତମ ନଗର ଓ କୋର୍ଟ ଅଞ୍ଚଳରେ ଡାକ ବାଣ୍ଟିଥାନ୍ତି ।  ତେଣୁ ଗତ କିଛି ଦିନ ମଧ୍ୟରେ ଏହି ବ୍ୟକ୍ତିମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି , ତାହାର ଯାଞ୍ଚ ଜରୁରୀ ହୋଇପଡିଛି । ସଂପୃକ୍ତ କରୋନ ସଂକ୍ରମିତ ଏବଂ ସେମାନଙ୍କ ରାଜ୍ୟ ବାହାର ଲିଙ୍କ୍‌ ନେଇ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଛନ୍ତି ବିଏମ୍‌ସି କମିଶନର ।

ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଥିବା ବିଏମ୍‌ସି କମିସନର କହିଛନ୍ତି , ସୂର୍ଯ୍ୟନଗରର ଚିହ୍ନଟ ହୋଇଥିବା ପଞ୍ଚମ ଆକ୍ରାନ୍ତ , ନିଜେ ରାଜ୍ୟ ବାହାରକୁ ଯାଇନଥିଲେ ମଧ୍ୟ ତାଙ୍କ ପରିବାର କୋଲକାତା ଯାଇଥିଲେ । ସେଠାରୁ ସେମାନେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଇଛି । ସେହିପରି ବମିଖାଲରେ ଚିହ୍ନଟ କରୋନା ସଂକ୍ରମିତ ତିନିଭାଇଙ୍କ ବାପା ଭୋପାଳରେ ଚାକିରି କରନ୍ତି । ସେ କରୋନା ସଂକ୍ରମିତ ହୋଇଥିବାରୁ , ତାଙ୍କ ଠାରୁ ପୁଅମାନେ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଇଛି । ଅନ୍ୟପକ୍ଷରେ ପୁରୀର ପିପିଲି ଅଞ୍ଚଳରେ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣଙ୍କ ରାଜଧାନୀର ଜଣେ ଡାକ କର୍ମଚାରୀ । ସେ ବିଜେବି ନଗର ସବ୍‌ ପୋଷ୍ଟ ଅଫିସରେ କାମ କରନ୍ତି । ଗତମାସରେ ସେ ଦିଲ୍ଲୀ ଯାଇଥିଲେ । ତେଣୁ ସେ ରାଜ୍ୟ ବାହାରେ ଥିବା ବେଳେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ସଂପୃକ୍ତ ବ୍ୟକ୍ତିଜଣଙ୍କ ଗୌତମ ନଗର ଓ ବିଜେବି ନଗରରେ ଡାକ ବାଣ୍ଟିବା ସହ ଭୁବନେଶ୍ୱରରୁ ପିପିଲି ଯାତାୟତ କରୁଥିଲେ । ତେଣୁ ସେ ଏହି ସମୟ ମଧ୍ୟରେ କାହା କାହା ସଂସ୍ପର୍ଶରେ ଆସିଛନ୍ତି , ତାହା ଜାଣିବା ଏବେ ଜରୁରୀ ହୋଇପଡିଛି । ସଂକ୍ରମିତମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜ ଆଡୁ ଟୋଲ୍‌ ଫ୍ରି ନମ୍ବର ୧୦୪ରେ ଯୋଗାଯୋଗ କରି ନମୁନା ପରୀକ୍ଷା ଓ ଡାକ୍ତରୀ ପରାମର୍ଶ ନିହାତି ଜରୁରୀ । ସାମାଜିକ ସଂକ୍ରମଣକୁ ରୋକିବା ଲାଗି ଏହା ଜରୁରୀ ହୋଇଥିବାରୁ ଓ ରାଜ୍ୟ ସରକାର ବାରମ୍ବାର ଅପିଲ୍‌ କରୁଥିବାରୁ ସମସ୍ତ ସନ୍ଦିଗ୍ଧ ଏହାର ସୁବିଧା ନେବା ସହ ସରକାରଙ୍କ ଯାଞ୍ଚ ପ୍ରକ୍ରିୟାକୁ ଆସିବା ଅତ୍ୟନ୍ତ ଆବଶ୍ୟକ ଓ ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.