କରୋନା ମୁକାବିଲା : BMC-BDA ପକ୍ଷରୁ SOP ଜାରି, ୨ଟା ପରେ ପାର୍କ ବନ୍ଦ, କଲ୍ୟାଣ ମଣ୍ଡପ- ହାଟ-ବଜାର ପାଇଁ ନିୟମାବଳୀ ଜାରି

Published By : Prameya-News7 Bureau | March 17, 2020 IST

ଭୁବନେଶ୍ୱର ୧୭।୦୩: କରୋନା ମୁକାବିଲା ପାଇଁ ବିଏମ୍‌ସି ପୁଣି ଷ୍ଟାଣ୍ଡାର୍ଡ ଅଫ୍‌ ପ୍ରୋସିଡ୍ୟୁୟର (ଏସ୍‌ଓପି) ଜାରି କରିଛି । ହାଟ, ଦୈନିକ ବଜାର, ହୋଟେଲ, ହସ୍ପିଟାଲ, କଲ୍ୟାଣ ମଣ୍ଡପ, କର୍ପୋରେଟ୍‌ ଅଫିସ୍‌, ରେଷ୍ଟୁରାଣ୍ଟ୍‌, ପାର୍କ ଓ ଡ୍ୟାନ୍ସ ବାର୍‌ ପାଇଁ ନିୟମାବଳୀ ଜାରି କରିଛି । ସତର୍କତା ପାଇଁ ସେମାନେ କେଉଁ କେଉଁ ପଦକ୍ଷେପ ନେବେ ତାର ବିସ୍ତୃତ ନିର୍ଦ୍ଦେଶନାମା ରହିଛି । ସେପଟେ କରୋନା ଆଶଙ୍କାରେ କ୍ୱାରେଣ୍ଟାଇନ୍‌ରେ ରଖିବା ପାଇଁ ୨୫ଟି ସ୍ଥାନ ଚିହ୍ନଟ କରାଯାଇଛି । ଆଗକୁ ଆହୁରି ଅଧିକ କ୍ୱାରେଣ୍ଟାଇନ୍‌ ସ୍ଥାନ ଚିହ୍ନଟ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ବିଡିଏ ଅଧୀନରେ ଥିବା ସିଟି ସେଣ୍ଟର ବା ନିକୋ ପାର୍କକୁ ମଙ୍ଗଳବାର ଠାରୁ ବନ୍ଦ କରାଯିବ ବୋଲି ସୂଚନା ମିଳିଛି ।

{"id":239554,"width":575,"height":383,"sizeSlug":"large"}

ବିଏମ୍‌ସି ଦକ୍ଷିଣ-ପୂର୍ବ ଜୋନ୍‌ରେ ଏହି ୨୫ଟି କ୍ୱାରେଣ୍ଟାଇନ୍‌ ସ୍ଥାନ ଚିହ୍ନଟ ହୋଇଛି । ଏଥିରେ ସ୍କୁଲ, କଲେଜ ଓ ଅନ୍ୟ ସରକାରୀ ପ୍ରତିଷ୍ଠାନ ରହିଛି । ଏଠାରେ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ଜୋନ୍‌ରେ ମଧ୍ୟ ଖୁବଶୀଘ୍ର ଏହି କେନ୍ଦ୍ର ଚିହ୍ନଟ କରାଯିବ ।

{"id":239555,"sizeSlug":"large"}

ଏସ୍‌ଓପିରେ ବିଏମ୍‌ସି ଓ ବିଡିଏ ଅଧୀନରେ ଥିବା ମାର୍କେଟ୍‌ ଓ ହାଟର ପରିବେଶ ପରିଚ୍ଛନତାକୁ ଫୋକସ୍‌ କରାଯାଇଛି । ସବୁ ବ୍ୟବସାୟୀ ଓ ଗ୍ରାହକଙ୍କୁ ସଂକ୍ରମଣ ସଚେତନତା ବାର୍ତ୍ତା ବାଣ୍ଟିବା, କୌଣସି ବ୍ୟବସାୟୀ ଅସୁସ୍ଥ ରହିଲେ ତାଙ୍କର ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଏସ୍‌ଓପିରେ କୁହାଯାଇଛି । ଧର୍ମାନୁଷ୍ଠାନକୁ ଆସୁଥିବା ଭକ୍ତଙ୍କୁ ଭଲ ଭାବରେ ହାତ ଧୋଇବା ପରେ ଅନୁଷ୍ଠାନରେ ପ୍ରବେଶ କରିବା ପାଇଁ କହିବା, ଯଥାସମ୍ଭବ ଭୋଜିଭାତରୁ ନିବୃତ୍ତ ରହିବା, ଅତ୍ୟଧିକ ଜନଗହଳିକୁ ପ୍ରଶ୍ରୟ ନ ଦେବାକୁ କୁହାଯାଇଛି ।

{"id":239556,"width":596,"height":397,"sizeSlug":"large"}

ଖାଦ୍ୟ ଓ ଲସି ଦୋକାନରେ ପରିଚ୍ଛନ୍ନତାକୁ ଗୁରୁତ୍ୱ ସହ ବ୍ୟବହୃତ ବାସନକୁସନ, ଗ୍ଲାସ୍‌ର ବିଜ୍ଞାନ ସମ୍ମତ ପରିଚ୍ଛନ୍ନତା, ଖାଦ୍ୟ ପରିବେଷଣ କରୁଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ନିରାପତ୍ତା ପୋଷାକ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରେଷ୍ଟୁରାଣ୍ଟ, ଡ୍ୟାନ୍ସ ବାର୍‌ରେ ସାମାଜିକ ଦୂରତା ରକ୍ଷା, କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କୁହାଯାଇଛି । କର୍ପୋରେଟ୍‌ ଅଫିସ୍‌ରେ ସମସ୍ତ କର୍ମଚାରୀଙ୍କୁ ହାତ ପରିଷ୍କାର କରିବା ଉପକରଣ ଯୋଗାଇବା, ରାଜ୍ୟ ଓ ଦେଶ ବାହାର କ୍ଲାଏଣ୍ଟଙ୍କୁ ଏବେ ନିମନ୍ତ୍ରଣ ନ କରିବା, ସଭା ସମିତି ଆୟୋଜନରେ ସରକାରଙ୍କର ନିର୍ଦ୍ଦେଶନାମା ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବିଏମ୍‌ସି ଓ ବିଡିଏ ଓ ଅନ୍ୟ କର୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ପାର୍କ ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ଖୋଲା ରହିବ । ୨ଟା ପରେ ପାର୍କ ବନ୍ଦ କରାଯିବ । ପରବର୍ତ୍ତୀ ଆଦେଶନାମା ଯାଏ ଏହି ନିୟମ ପାଳନ କରିବା, ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ କରୋନା ସଂକ୍ରମଣ ପ୍ରତିରୋଧ ବାର୍ତ୍ତା ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଏମ୍‌ସି ଅଫିସ୍‌ରେ ଅନୁଷ୍ଠିତ ଏକ ବୈଠକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ସୁଶାନ୍ତ କୁମାର ରାଉତ, ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଓ ଅତିରିକ୍ତ ପୁଲିସ କମିଶନର ଅନୁପ ସାହୁ ଉପସ୍ଥିତ ରହି ଏହି ଏସ୍‌ଓପି ପାଳନ କରିବାକୁ ସମସ୍ତଙ୍କୁ ଅପିଲ୍‌ କରିଥିଲେ । ଲୋକେ ଭୟଭୀତ ନ ହୋଇ ସତର୍କ ଓ ସଚେତନ ହୋଇ ଏହାକୁ ମୁକାବିଲା କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.