ଅନ୍ଧୁଣୀ ବୃଦ୍ଧାଙ୍କୁ ସାତ ସପନ ପକ୍କାଘର, ମିଳୁନି ଆବାସ ଯୋଜନା, ସରକାରଙ୍କୁ କଲେ ନିବେଦନ

Published By : Prameya-News7 Bureau | December 07, 2021 IST

ଦେବଗଡ, ୭।୧୨: ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ କୁଣ୍ଡାପିଠା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସତୁରୀ ବର୍ଷର ଅନ୍ଧୁଣୀ ବୃଦ୍ଧା ନିଜ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ସଂଘର୍ଷ କରୁଥିବା ବେଳେ ରହିବା ପାଇଁ ଭଲ ଘର ନଥିବା  ଦେଖିବାକୁ ମିଳିଛି। ବାପା ମାଆଙ୍କ ମୃତ୍ୟୁ ପରେ ଅନାଥ ଅନ୍ଧୁଣୀ ବୃଦ୍ଧା ଅସ୍କରାଙ୍କ ଭରଣପୋଷଣ ତାଙ୍କ ସାନ ଭଉଣୀ କରୁଥିବା ବେଳେ ସେ ରହୁଥିବା ଘରଟି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସରକାର ସମସ୍ତଙ୍କ ପାଇଁ ପକ୍କା ଘର ଯୋଗାଇ ଦେବା ଲକ୍ଷ୍ୟରେ ଆବାସ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ଅସ୍କରାଙ୍କ ପାଇଁ ସରକାରୀ ଘରଟିଏ ପାଇବା ସାତ ସପନ ହୋଇଛି ।

ସରକାର ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ଲକ୍ଷ୍ୟରେ ଆବାସ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି। ମାତ୍ର ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି। ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବସାଲଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଣ୍ଡାପିଠା ଗ୍ରାମର ଅନ୍ଧୁଣୀ ବୃଦ୍ଧା ଅସ୍କରା ଭୋଇ। ବୟସ ସତୁରୀ ବର୍ଷ ପାର ହେଲାଣି । ବାପା ଚକ୍ର ଭୋଇଙ୍କ ପୁଅ ନଥିବା ବେଳେ ଦୁଇ ଝିଅ ଅଛନ୍ତି । ସେଥିମଧ୍ୟରୁ ଅସ୍କରା ଅନ୍ଧୁଣୀ ଅଟନ୍ତି ।  ଅନ୍ୟ ଭଉଣୀ ବୈଦେହୀ ଠାକୁର ବିବାହ କରି ନିକଟସ୍ଥ କାଲକାଠ ଗ୍ରାମରେ ଶ୍ୱଶୁର ଘରେ ରହୁଥିବା ବେଳେ ବାପା ମାଆଙ୍କ ମୃତ୍ୟୁ ପରେ ଏବେ ବାପା ଘରକୁ ଆସି ଅନ୍ଧୁଣୀ ଭଉଣୀଙ୍କ ସେବା ଶୁଶ୍ରୁଷା କରୁଛନ୍ତି ।

ଦୁଇ ଭଉଣୀ ରହୁଥିବା ପୈତୃକ ମାଟିଖପର ଘରର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡିଲାଣି। ବୈଦେହୀଙ୍କ ଗୋଟିଏ ପୁଅ ଥିବାବେଳେ ସେ ଏସପିଓ ଭାବେ କାର୍ଯ୍ୟ କରୁଥିଲେ । ମାତ୍ର ତାଙ୍କ ପୁଅ କିଛି ବର୍ଷ ତଳେ ସେ ମୃତ୍ୟୁ ବରଣ କଲା ପରେ ଘରେ କେହି ରୋଜଗାର କ୍ଷମ ନାହାନ୍ତି । ନିଜ ଜମିବାଡିରେ ଧାନ ଓ ପନିପରିବା ଚାଷ କରି ସେମାନେ ପରିବାର ପ୍ରତିପୋଷଣ କରୁଛନ୍ତି । ରୋଜଗାର ଅର୍ଥ ଚଳିବାକୁ ନିଅଣ୍ଟ ହେଉଥିବା ବେଳେ ଘର ମରାମତି ପାଇଁ ଅର୍ଥ ଅଣ୍ଟୁନାହିଁ। ଏଣୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେଲେ ଅସ୍କରା ଠିକରେ ରହି ପାରନ୍ତେ ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.