ପ୍ରେମ ଅନ୍ଧ: ପରସ୍ପରକୁ ଅନ୍ଧ ଭଳି ଉଲ ପାଉଛନ୍ତି ଦୃଷ୍ଟିହୀନ ଦମ୍ପତି… ‘ଆଉ ଥରେ ନେବି ମଣିଷ ଜନମ କେବଳ ତୁମରି ପାଇଁ’…. ଏମିତି ଗୀତ ଗାଇ ସ୍ତ୍ରୀଙ୍କୁ ଖୁଆଇ ଦେଉଛନ୍ତି ସ୍ବାମୀ…
22/12/2020 at 9:37 PM

ବରଗଡ଼୨୨/୧୨: ‘ଆଉ ଥରେ ନେବି ମଣିଷ ଜନ୍ମ କେବଳ ତୁମରି ପାଇଁ” ଗୀତରେ ଗୀତରେ ନିଜର ଭଲ ପାଇବା ଜାହିର କରୁଛନ୍ତି ସ୍ବାମୀ। ସ୍ବୀମୀ-ସ୍ତ୍ରୀ ଦୁଇଜଣ ଦୃଷ୍ଟିହୀନ। ତଥାପି ସ୍ବାମୀ-ସ୍ତ୍ରୀ ୨ଜଣଙ୍କ ମନରେ ମେଞ୍ଚାଏ ଭଲ ପାଇବା ନେଇ ଜୀବନ କାଟୁଛନ୍ତି। ୨ ଜଣ ଦୃଷ୍ଟିଶକ୍ତି ହରାଇ ବସିଛନ୍ତି, ଉଭୟ ଉଭୟଙ୍କୁ ଦେଖି ପାରୁ ନାହାନ୍ତି। ହେଲେ ସେମାନଙ୍କ ଭଲ ପାଇବା ଦେଖିଲେ, ଆପଣ କହିବେ, ସ୍ବାମୀ-ସ୍ତ୍ରୀଙ୍କ ସଂପର୍କ କେତେ ପବିତ୍ର। ଆଖି ନାହିଁ ତଥାପି ସ୍ତ୍ରୀ ପାଟିକୁ ଆପଣ ଛାଏଁ ହାତ ଚାଲି ଯାଉଛି। ଦୃଷ୍ଟିହୀନ ଦମ୍ପତିଙ୍କ ପରସ୍ପର ପ୍ରତି ଭଲ ପାଇବା, ସ୍ନେହ-ଶ୍ରଦ୍ଧା ସେହିଭଳି ଅତୁଟ ରହିଛି।କଥାରେ ଅଛି ପ୍ରେମ ଅନ୍ଧ।ଏଠି କିନ୍ତୁ ୨ ଜଣ ଅନ୍ଧ ପରସ୍ପରକୁ ଅନ୍ଧ ଭଳି ଭଲ ପାଉଛନ୍ତି।
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମପଞ୍ଚାୟତ ଡ଼ଡଙ୍ଗାପାଲି ଗ୍ରାମର ଦୃଷ୍ଟିହୀନ ଦମ୍ପତି ହେଲେ ଅଜିତ ଜାଲ ଓ ସ୍ତ୍ରୀ ସୁଷମା ଚାନ୍ଦ।ଅଜିତ ଜାଲ ଜନ୍ମରୁ ଦୃଷ୍ଟିହୀନ। ପିଲାବେଳେ ଆଖିଧରା ରୋଗରେ ସ୍ତ୍ରୀ ସୁଷମା ଦୃଷ୍ଟିଶକ୍ତି ହରାଇ ବସିଥିଲେ।ଦୃଷ୍ଟି ଶକ୍ତି ହରାଇବା ପରେ ସୁଷମାଙ୍କୁ ଭିନ୍ନକ୍ଷମ ସ୍କୁଲକୁ ପଠାଇ ଦିଆଯାଇଥିଲା। ସେଠାରେ ଖଲିଆପାଲି ଗ୍ରାମର ଅଜିତ ଜାଲଙ୍କ ସହ ସୁଷମାଙ୍କର ଭେଟ ହୋଇଥିଲା।
ଭିନ୍ନକ୍ଷମ ସ୍କୁଲରେ ଅଜିତ ଓ ସୁଷମାଙ୍କ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା।ଶେଷରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଥିଲେ। ଉଭୟ ସ୍ବାମୀ- ସ୍ତ୍ରୀ ଦୁହେଁ ଦୁହିଁଙ୍କୁ ଦେଖି ପାରୁନଥିଲେ ବି ଦୁଃଖ କଷ୍ଟରେ ତେଲ ଲୁଣର ସଂସାରରେ ସାଥି ହୋଇ ଦିନ କାଟୁଛନ୍ତି।ଗରିବ ହେଲେ ବି ତିଳେ ମାତ୍ର ବି ମନରେ ଦୁଃଖ ନାହିଁ ।
ଗତ ମାର୍ଚ୍ଚ ମାସରେ ଅଜିତ ଓ ସୁଷମା ବିବାହ କରିଥିଲେ ଆଉ ସୁଷମା ଏବେ ୮ ମାସର ଗର୍ଭବତୀ। ସୁଷମାଙ୍କ ଦେଖାଶୁଣା କରିବାକୁ କେହି ନାହାନ୍ତି। ସେଥିରେ ବି ସୁଷମା ରୋଷେଇବାସ ଠୁଁ ଆରମ୍ଭ କରି ନଳକୂପରୁ ପାଣି ଆଣିବା ପର୍ଯ୍ୟନ୍ତ ସବୁକାମ ନିଜେ କରୁଛନ୍ତି।ସେମାନେ ପରସ୍ପରକୁ ଦେଖି ପାରୁନ ଥିଲେ ବି ଭଗବାନଙ୍କ ଦୃଷ୍ଟିରେ ଦେଖିପାରୁଛନ୍ତି ବୋଲି କହିଛନ୍ତି ଅଜିତ। ଗର୍ଭବତୀ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଏବେ ଚିନ୍ତିତ ଅଛନ୍ତି ଅଜିତ ।ଶିଶୁକୁ ଜନ୍ମ ଦେବା ପରେ ଅନ୍ତତଃ କେହି ଜଣେ ଚକ୍ଷୁ ଦାନ କଲେ ଶିଶୁଟିର ଲାଳନ ପାଳନ ସୁବିଧା ହୋଇପାରନ୍ତା ବୋଲି କହିଛନ୍ତି ଜଣେ ପଡୋଶୀ ।