କାଶ୍ମୀର କୁପୱାରାରେ ବିସ୍ଫୋରଣ, ୧ ମୃତ, ୧୫ ଜୀବନ୍ତ ଗ୍ରେନେଡ ଜବତ
4/08/2019 at 10:20 PM

କୁପୱାରା: ନିୟନ୍ତ୍ରଣ ରେଖା ସଲଗ୍ନ ଜମ୍ମୁ-କାଶ୍ମୀରର କୁପୱାରାରେ ରବିବାର ବିସ୍ଫୋରୟଣ ହୋଇଛି। କିରେନର ଫିରକିୟାରେ ହୋଇଥିବା ଏହି ବିସ୍ଫୋରଣରେ ଜଣେ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣ ଏକ ଦର୍ଜି ଦୋକାନରେ ହୋଇଥିଲା। ସୂଚନା ପାଇ ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚି ତଲାସୀ ନେବା ବେଳେ ସେଠାରୁ ୧୫ଟି ଜୀବନ୍ତ ଗ୍ରେନେଡ ଉଦ୍ଧାର ହୋଇଛି। ମାମଲାରେ ପୋଲିସ ଟେଲରିଂ ସପ୍ ର ମାଲିକଙ୍କୁ ଗିରଫ କରିଛି।

ବିସ୍ଫୋରଣରେ ମୃତକଙ୍କ ଚିହ୍ନଟ ହୋଇଛି। ତାଙ୍କ ନାମ ଅବ୍ଦୁଲ ହମିଦ ବଜାଦ ବୋଲି ଜଣାପଡିଥିବା ବେଳେ ସେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା। କୌଣସି କାମ ପାଇଁ ସକାଳେ ଦର୍ଜି ଦୋକାନକୁ ଆସିଥିବା ବେଳେ ଗ୍ରେନେଡ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ଅଞ୍ଚଳରେ ଏବେ ଆର୍ମି ମୁତୟନ ଅଛନ୍ତି। ଏଣୁ କୌଣସି ବଡ ଘଟଣା ପାଇଁ ଏଠାରେ ପୂର୍ବରୁ ଗ୍ରେନେଡ ମହଜୁଦ ରଖାଯାଇଥିଲେ ହେଁ ଆର୍ମିର ଉପସ୍ଥିତି ଯୋଗୁ ତାହା ସମ୍ଭବ ହୋଇ ପାରିନଥିଲା। ଏଥିରେ ବିସ୍ଫୋରଣ ଯୋଗୁ ଘଟଣା ଜଣାପଡିଥିବା ବେଳେ ଅଞ୍ଚଳର ସୁରକ୍ଷା ଆହୁରି କଡାକଡି କରାଯାଇଛି।

ଏହି ବାଟ ଦେଇ ପାକିସ୍ତାନରୁ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରିଥିଲେ। ତେବେ ଜବାନଙ୍କ ସତର୍କତା ଯୋଗୁ ଅନୁପ୍ରବେଶ ବିଫଳ ହୋଇଥିବା ବେଳେ ସେମାନଙ୍କ ପାଇଁ ହୁଏତ ଏଠାରେ ଗ୍ରେନେଡ ପୂର୍ବରୁ ମହଜୁଦ କରାଯାଇଥିବା ଅନୁମାନ କରାଯାଉଛି। ମାମଲାରେ ପୋଲିସ ଟେଲରିଂ ସପ୍ ର ମାଲିକଙ୍କୁ ପଚରା ଉଚରା ଚଳାଇଛି।