ଜମ୍ମୁରେ ଯାତ୍ରୀବାହୀ ବସ୍ରେ ଗ୍ରେନେଡ୍ ବିସ୍ଫୋରଣ, ୧୮ ଗୁରୁତର
7/03/2019 at 12:54 PM

ଶ୍ରୀନଗର ୭|୩ : ଜମ୍ମୁରେ ଏକ ବସଷ୍ଟାଣ୍ଡ ନିକଟରେ ବିସ୍ଫୋରଣ ହୋଇଛି । ବସଷ୍ଟାଣ୍ଡ ପାଖରେ ଥିବା ଏକ ବସ୍ ଭିତରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଫଳରେ ୧୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବସ୍ ଉପରକୁ ଗ୍ରେନେଡ୍ ମାଡ କରି ଦୁର୍ବୃତ୍ ଫେରାର ହୋଇଯାଇଥିବା ଜଣାପଡିଛି । ବୋମା ନିରୋଧ ଦଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା ଦୋକାନ କିଛିଟା କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ଶଦ୍ଦ ଶୁଣି ନିକଟରେ ଥିବା ଲୋକ ଏଣେ ତେଣେ ଦୌଡିଥିଲେ । ଯାହାକୁ ନେଇ ସେଠାରେ ଆତଙ୍କ ଖେଳିଯାଇଛି । ତେବେ ଏହା ଆତଙ୍କବାଦୀ ଆକ୍ରମଣ ଥିଲା କି ନାହିଁ ତାହା ଏବେ ସ୍ପଷ୍ଟ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ସୁରକ୍ଷାକର୍ମୀ ସଂପୃକ୍ତ ଅଞ୍ଚଳକୁ ଘେରାଉ କରିଦେଇଛନ୍ତି ।