ବିବାହିତାଙ୍କୁ ବ୍ଲାକମେଲିଂ, ଟଙ୍କା ନଦେଲେ ଭିଡିଓ ଭାଇରାଲ ଧମକ : ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | October 31, 2021 IST

ଲଖନପୁର,୩୧/୧୦: ଲଖନପୁର ଥାନାଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଲଖନପୁର ପୁଲିସ୍‌ ୨ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଛି । ଯୁବକ ଦ୍ୱୟ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଭୋଇପାଲି ଗ୍ରାମର ଚନ୍ଦ୍ରମଣି ମେହେର ଓରଫ ବବୁଲୁ (୨୭) ଓ ତାର ସାଙ୍ଗ ସୂରଜ ଗୌଡ଼ ଓରଫ ମଣ୍ଟୁ (୩୦) । ସୂରଜ ସୁନ୍ଦରଗଡ଼ ଥାନାରେ ହୋମଗାର୍ଡ ଭାବରେ କାମ କରୁଥିଲା ବୋଲି ଥାନାଧିକାରୀ ଦୁଃଖିନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ ମହିଳା ଜଣକ ରେଙ୍ଗାଲି ଥାନାଞ୍ଚଳର ଝିଅ । ବିବାହ ପୂର୍ବରୁ ସେ ଟିଆର୍‌ଏଲ୍‌ ଆର୍‌ସେଟିରେ ୬ ମାସିଆ ଟ୍ରେନିଂ ନେବା ସମୟରେ ଚନ୍ଦ୍ରମଣି ସହ ପରିଚୟ ହୋଇଥିଲା । ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଯାଇଥିଲା । ଇତି ମଧ୍ୟରେ ତାଙ୍କର ବିବାହ ଲଖନପୁର ଥାନାଞ୍ଚଳରେ ହୋଇସାରିଛି । ଏହା ଜାଣିବା ପରେ ଚନ୍ଦ୍ରମଣି ୩ ମାସ ଆଗରୁ ମହିଳାଙ୍କ ଦିଅରର ମୋବାଇଲକୁ ଫୋନ୍‌ କରି ୭ଲକ୍ଷ ଟଙ୍କା ନଦେଲେ ତା’ ପାଖରେ ଥିବା ଅଶ୍ଳୀଳ ଭିଡିଓ ଭାଇରାଲ କରିବାର ଧମକ ଦେଇଥିଲା । ଏହାସହ ହ୍ୱାଟସ୍‌ଆପ୍‌ରେ ଚାଟିଂ କରି ଧମକ ଦେଉଥିଲା । ଗତ ୨୨ ତାରିଖ ମହିଳାଙ୍କ ଦିଅର ଲଖନପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା । ଗତକାଲି ଚନ୍ଦ୍ରମଣି ମହିଳାଙ୍କ ବାପାକୁ ଫୋନ କରି ଟଙ୍କା ମାଗିବା ସହ ଭିଡିଓ ଭାଇରାଲ କରିବାର ଧମକ ଦେଇଥିଲା । ପରେ ସାଙ୍ଗ ସୂରଜ ସହ ତାଙ୍କ ଘରକୁ ଆସିଥିଲା ।

ମହିଳାଙ୍କ ବାପା ପାଖରେ ଟଙ୍କା ନଥିବା କହି ଆସନ୍ତାକାଲି ଲଖନପୁର ସ୍ଥିତ ବ୍ୟାଙ୍କରୁ ଟଙ୍କା ବାହାର କରି ଦେବାକୁ କହିବାରୁ ସେମାନେ ଚାଲି ଯାଇଥିଲେ । ପରେ ଏନେଇ ମହିଳାଙ୍କ ବାପା ଲଖନପୁର ଥାନାକୁ ସମସ୍ତ ଘଟଣା ଜଣାଇଥିଲେ । ପୂର୍ବ ଯୋଜନା ମୁତାବକ ମହିଳାଙ୍କ ବାପା ଲଖନପୁର ବ୍ୟାଙ୍କ ନିକଟକୁ ଆସିବା ପରେ ଚନ୍ଦ୍ରମଣି ଓ ସୂରଜ ମଧ୍ୟ ଆସିଥିଲେ । ପୂର୍ବରୁ ଛକି ରହିଥିବା ଲଖନପୁର ପୁଲିସ୍‌ ଉଭୟଙ୍କୁ କାବୁ କରିବା ସହ ଥାନାକୁ ଆଣି ପଚରାଉଚୁରା କରିବା ସହ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.