ସାଇବର ଭିଲିଆନ୍ : ଯାଜପୁରରେ ଥାଇ ଜଗତସିଂହପୁରରେ ରହୁଥିବା ମହିଳାଙ୍କୁ ଦେଉଛି ଧମକ, କରୁଛି ବଦ୍‌ନାମ୍

Published By : Prameya-News7 Bureau | October 22, 2020 IST

ଜଗତସିଂହପୁର ୨୨।୧୦ : ଜାଲ୍‌ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌। ଅଭିଯୁକ୍ତଙ୍କ ପକ୍ଷରୁ ଲଗାତାର ଭାବେ ଏଭଳି ହୀନ କାର୍ଯ୍ୟ ଜାରି ରହିଥିବାରୁ ମହିଳାଙ୍କ ଶାଶୂ ଘର ଲୋକେ ଚିନ୍ତାରେ । ସୋସିଆଲ ମିଡିଆରେ ଚରିତ୍ର ସଂହାର ହେବା କାରଣରୁ ବାଜିରେ ଲାଗିଯାଇଛି ମହିଳାଙ୍କ ମାନ ସମ୍ମାନ । ଏଣେ କରୋନା ଆକ୍ରାନ୍ତ କାରଣରୁ ଜଗତସିଂହପୁର ଥାନାରେ ପଡ଼ି ରହିଛି ମହିଳାଙ୍କ ଏତଲା । ପୁଲିସର ତନାଘନା ନହେବା କାରଣରୁ ଅଭିଯୁକ୍ତଙ୍କ ପକ୍ଷରୁ ମହିଳାଙ୍କୁ ମିଳୁଛି ଧମକ । ଏପରିକି ମହିଳାଙ୍କ ଅନ୍ୟ ଭଉଣୀମାନଙ୍କ ଫଟୋକୁ କଦର୍ଥ କରି ଭାଇରାଲ୍‌ କରିବାର ନାଲିଆଖି ଦେଖାଉଛି ଅଭିଯୁକ୍ତ। ଏହାସହ ସ୍ୱାମୀଙ୍କ ଦେହାନ୍ତ ହେତୁ ବିଭାଘର ସ୍ଥିର ହୋଇଥିବା ଅନ୍ୟ ଜଣେ ଯୁବକଙ୍କ ନିକଟକୁ ମହିଳାଙ୍କ ଉଲଗ୍ନ ଫଟୋ ପଠାଇ ଚାଲିଛି ସଂପୃକ୍ତ ଅଭିଯୁକ୍ତ । ଏପ୍ରକାର ବ୍ଲାକ୍‌ମେଲିଂ କରି ନିକଟ ଅତୀତରେ ମହିଳାଙ୍କ ଠାରୁ କିଛି ଟଙ୍କା ଝାଡ଼ି ସାରିଥିବା ବେଳେ ଏବେ ବି ସଂପୃକ୍ତ ଅଭିଯୁକ୍ତ ଅଧିକ ଟଙ୍କା ଦାବି କରୁଥିବା ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତା ମହିଳା ।

ଜଗତସିଂହପୁର ସହରର ଏହି ମହିଳାଙ୍କ ପ୍ରଥମ ବିବାହ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ହୋଇଥିଲା । ୨୦୧୦ ମସିହାରେ ବିବାହ ସମ୍ପନ୍ନ ପରେ ଦୁର୍ଯ୍ୟୋଗକୁ ୨୦୧୯ ମସିହାରେ ଏକ ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା । ସ୍ୱାମୀ ଆରପାରିକୁ ଚାଲି ଯିବା ପରେ ନିଜର ଦୁଇ ଶିଶୁଙ୍କ ଭବିଷ୍ୟତ ପାଇଁ ମହିଳା ନିଜ ବାପ ଘର ଜଗତସିଂହପୁରକୁ ଚାଲି ଆସିଥିଲେ । ଏଠି କାମ ଦାମ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ଏଭଳି ବ୍ଲାକ୍‌ମେଲିଂର ଶିକାର ହୋଇ ଆସୁଛନ୍ତି । ବ୍ଲାକ୍‌ମେଲିଂ କରୁଥିବା ଯୁବକଙ୍କ ଘର ଯାଜପୁର ଜିଲ୍ଲାରେ ହୋଇଥିବା ବେଳେ ସେ ମହିଳାଙ୍କ ସହ ପୂର୍ବରୁ ପରିଚିତ ଥିଲେ। ଏଣେ ସ୍ୱାମୀଙ୍କ ମୃତ୍ୟୁ ଖବର ଜାଣିବା ପରେ ସଂପୃକ୍ତ ପରିଚିତ ଯୁବକ ଏହି ମହିଳାଙ୍କୁ ଟାର୍ଗେଟ୍‌ କରିଥିଲେ । ଯାବତୀୟ ହଇରାଣ ହରକତ୍‌ କରିବା ପରେ ଏବେ ଜାଲ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ମହିଳାଙ୍କ ଫଟୋକୁ ଅତିରଞ୍ଜିତ କରି ଭାଇରାଲ ୍‌କରିବା ଆରମ୍ଭ କରିଛନ୍ତି । କମ୍ପ୍ୟୁଟର ସାହାଯ୍ୟରେ ସୋସିଆଲ ସାଇଟ୍‌ରୁ ଅନ୍ୟ ମହିଳାଙ୍କ ଉଲଗ୍ନ ଫଟୋକୁ ଆଣି ଏହି ମହିଳାଙ୍କ ମୁଣ୍ଡକୁ ଯୋଡ଼ି ଭାଇରାଲ୍‌ କରିବାରୁ ନାନା ସମସ୍ୟା ଦେଖାଦେଇଛି ।

ବିଶେଷକରି ମହିଳାଙ୍କ ଶାଶୂଘର ଲୋକେ ଅପଦସ୍ତ ଅନୁଭବ କରୁଥିବା ବେଳେ ନିଜେ ମହିଳା ବି ଅସୁରକ୍ଷିତ ମନେ କରୁଛନ୍ତି ।ଏବେ ମହିଳାଙ୍କ ଏଭଳି ଅଶ୍ଲୀଳ ଫଟୋକୁ ଅନେକ ଦେଖି ସାରିଲେଣି। ଫଳରେ ମହିଳା ଜଣଙ୍କ ମୁହଁ ଟେକି ରାଜରାସ୍ତାରେ ଚାଲି ପାରୁ ନାହାଁନ୍ତି । ଏପଟେ ଅଭିଯୋଗ ପାଇଲା ପରେ ବି ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଅଭିଯୁକ୍ତଙ୍କ ସାହାସ ବଢ଼ି ଚାଲିଛି । କାରଣ ଏହା ଭିତରେ ଯାଜପୁରର ଏହି ଅଭିଯୁକ୍ତ ଯୁବକ ଏକ ମୋବାଇଲ ଫୋନ୍‌ ନମ୍ବରରେ ମହିଳାଙ୍କୁ ଘନ ଘନ ଫୋନ୍‌ କରି ବ୍ଲାକ୍‌ମେଲିଂ କରିବା ଆରମ୍ଭ କରିଛନ୍ତି ।

ଏପରିକି ମହିଳାଙ୍କ ଦୁଇ ଶିଶୁଙ୍କ ଜୀବନ ନେଇଯିବାର ଧମକ ଦେଇଛି। ସୁଯୋଗ ମିଳିଲେ ଦୁଇ ଶିଶୁଙ୍କୁ ଅପହରଣ କରି ବିକ୍ରି କରି ଦେବାର ଚେତାବନୀ ଦେଉଥିବା ଏତଲାରେ ଉଲ୍ଳେଖ କରାଯାଇଛି । ଥାନା, ପୁଲିସର ଧମକକୁ ନ ଡ଼ରି ଅଭିଯୁକ୍ତ ନିଜ ଆଡ଼ୁ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଚେତାବନୀ ଦେଇଛି । ମହିଳାଙ୍କ ଭଉଣୀମାନଙ୍କ ଫଟୋକୁ କଦର୍ଥ କରି ଭାଇରାଲ୍‌ କରିଦେବାକୁ ଜଣାଇଛି । ପର୍ବରୁ ଏପ୍ରକାର ବ୍ଲାକ୍‌ମେଲିଂ କରି ମହିଳା କିଛି ଅର୍ଥ ହରାଇ ସାରିଥିବାରୁ ଏବେ ଅଧିକ ଅର୍ଥ ଦାବି କରୁଛି ଯାଜପୁରର ସଂପୃକ୍ତ ଯୁବକ। ଫଳରେ ମହିଳାଙ୍କ ପୂରା ପରିବାରର ଜୀବନ ପ୍ରତି ବିପଦ ରହୁଛି । ସମ୍ମାନ ଚାଲି ଯିବାର ଭୟ ରହୁଛି ।

ଅପରପକ୍ଷେ ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ଜଗତସିଂହପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ମାତ୍ର ଏହା ଭିତରେ ଥାନାରୁ ଅନେକ ପୁଲିସ ଅଫିସର, କର୍ମଚାରୀ କରୋନା ଆକ୍ରାନ୍ତ ହୋଇ ପଡ଼ିବା ଯୋଗୁଁ ଉକ୍ତ ଏତଲା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଫଳରେ ମହିଳାଙ୍କ ସମ୍ମାନ ଭୁଲୁଣ୍ଠିତ ହୋଇପଡ଼ିଛି ଏବଂ ବ୍ଲାକ୍‌ମେଲର ନିଜର ମନ୍‌ମାନି ଚଳାଇ ଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.