୧୦ କୋଟି ଟଙ୍କା ଦିଅ ନହେଲେ ଭାଇରାଲ ହେବ ଅଶ୍ଳୀଳ ଭିଡିଓ, ଇ-ମେଲ ଆକାଉଣ୍ଟ ହ୍ୟାକ୍ କରି ବ୍ଲାକମେଲ୍
24/01/2021 at 8:08 PM

ଗାଜିଆବାଦ ୨୪/୦୧ : ଅଶ୍ଳୀଳ ଭିଡିଓ, ଫଟୋ ଏବଂ ବ୍ୟକ୍ତିଗତ ତଥ୍ୟ ସବୁକୁ ଭାଇରାଲ କରିଦେବାକୁ କହି ଗାଜିଆବାଦର ଜଣେ ବ୍ୟକ୍ତିଙ୍କୁ କିଛି ହ୍ୟାକର୍ ବ୍ଲାକମେଲ୍ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ଗାଜିଆବାଦ ବସୁନ୍ଧରା କଲୋନୀର ରାଜୀବ କୁମାର ଥାନାରେ ଅଭିଯୋଗ କରିଛନ୍ତି । ରାଜୀବଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି ।
ସୂଚନା ଅନୁସାରେ ବସୁନ୍ଧରା କଲୋନୀର ରାଜୀବ କୁମାରଙ୍କ ଇ-ମେଲ ଆକାଉଣ୍ଟକୁ କିଛି ହ୍ୟାକର ହ୍ୟାକ୍ କରିନେଇଥିଲେ । ଏହା ପରେ ତାଙ୍କୁ ନିକଟକୁ ଏକ ଫୋନ କଲ ଆସିଥିଲା । ଫୋନ କରିଥିବା ବ୍ୟକ୍ତିଜଣକ ତାଙ୍କୁ ଧମକାଇବା ସହ ତାଙ୍କର କିଛି ଅଶ୍ଳୀଳ ଭିଡିଓ, ଫଟୋ ଏବଂ ପରିବାର ଲୋକଙ୍କ ତଥ୍ୟକୁ ଅନଲାଇନ୍ରେ ଭାଇରାଲ କରିଦେବାକୁ ଧମକ ଦେଇଥିଲା । ଏହାର ପ୍ରତିବଦଳରେ ଯଦି ୧୦ କୋଟି ଟଙ୍କା ଦିଅନ୍ତି ତେବେ ଭିଡିଓ ଏବଂ ଫଟୋକୁ ଡିଲିଟ୍ କରିଦେବାକୁ କହିଥିଲେ ହ୍ୟାକର ।
ଏତେ ଟଙ୍କା ଦେବାକୁ ଅକ୍ଷମ ହେବାରୁ ହ୍ୟାକରମାନେ ତଥ୍ୟ ସବୁକୁ ଭାଇରାଲ କରିଦେବାକୁ ଚେତାବନୀ ଦେଇଥିଲେ । ଏହା ପରେ ବାଧ୍ୟ ହୋଇ ପୋଲିସର ଆଶ୍ରୟ ନେଇଥିଲେ ରାଜୀବ କୁମାର । ତେବେ ପୋଲିସ ଇଣ୍ଡିଆନ ପେନାଲ କୋଡ୍ରେ ଅପରାଧିକ ଭୟ ଦେଖାଇବା ଅଭିଯୋଗରେ ମାମଲା ରୁଜୁ କରିଛି ।
ଏହାକୁ ନେଇ ପୋଲିସ ଡିଏସପି ଅଂଶୁ ଜୈନ କହିଛନ୍ତି, ହ୍ୟାକରମାନେ ଲଗାତାର ଭାବେ ଉକ୍ତ ପରିବାରର ବ୍ୟକ୍ତିମାନଙ୍କ ଉପରେ ନଜର ରଖିଛନ୍ତି । ଏହା ସହ ବିଭିନ୍ନ ସମୟରେ ଧମକ ଦେଉଛନ୍ତି । ତେବେ ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଟ୍ରାକ୍ କରାଯିବା ସହିତ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି ।