ଋଷ-ୟୁକ୍ରେନ୍ ବିବାଦରୁ ଦୂରେଇଲା ଓ୍ୱାଶିଂଟନ, କୃଷ୍ଣସାଗରକୁ ଆସିଲାନି ଆମେରିକୀୟ ଯୁଦ୍ଧ ତରୀ

Published By : Prameya-News7 Bureau | April 15, 2021 IST

ଓ୍ୱାଶିଂଟନ, ୧୫/୪:   ଆମେରିକା ବ୍ଲାକ୍ ସି ବା କୃଷ୍ଣସାଗରରେ ୨ଟି ଯୁଦ୍ଧତରୀ(ଯୁଦ୍ଧଜାହାଜ) ନିୟୋଜିତ କରିବା ନେଇ ଯୋଜନାରୁ ପଛକୁ ହଟିଛି । ଏନେଇ ତୁର୍କୀ ସରକାର ଓ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ଋଷ ଓ ୟୁକ୍ରେନ୍ ମଧ୍ୟରେ ବଢୁଥିବା ତିକ୍ତତାକୁ ଦୃଷ୍ଟିର ରଖି ୟୁଏସ ଏହି ନିଷ୍ପତ୍ତି ନେଇଛି ।

ସୂତ୍ରାନୁସାରେ, ବୁଧବାର ଆମେରିକା ତରଫରୁ ପ୍ରଥମ ଜାହାଜ ବୋସଫୋରସ୍ ଦେଇ ବ୍ଲାକ୍ ସିରେ ପ୍ରବେଶ କରିଥାନ୍ତା । କିନ୍ତୁ ଏହା ଆସିନାହିଁ ।ଆନାଡୋଲୁ ଷ୍ଟେଟ୍ ନ୍ୟୁଜ୍ ଏଜେନ୍ସି କହିଛି ଯେ, ଉଭୟ ଜାହାଜ ବୁଧବାର ଓ ଗୁରୁବାର ଆସି ପହଁଚିଥାନ୍ତା । କିନ୍ତୁ ଏହାକୁ ବାତିଲ କରି ଦିଆଯାଇଛି । ଏହା ପରେ କେବେ ଆସିବ ନା ନାହିଁ ସେନେଇ ମଧ୍ୟ ସ୍ପଷ୍ଟ ହୋଇନାହିଁ । ଗତ ସପ୍ତାହରେ ତୁର୍କୀ କହିଥିଲା ଯେ, ୟୁଏସର ଦୁଇଟି ଜାହାଜ ଆସିବା ନେଇ ସୂଚନା ଦିଆଯାଇଥିଲା । ଏହା ତୁର୍କୀ ଜଳସୀମା ଦେଇ ବ୍ଲାକ୍ ସିରେ ପ୍ରବେଶ କରିବ । ମେ ୪ ଯାଏଁ ଏହା ନିୟୋଜିତ ରହିବ । ତେବେ କଣ ପାଇଁ ଜାହାଜ ଆସିନାହିଁ ସେନେଇ ଓ୍ୱାଶିଂଟନ ପକ୍ଷରୁ କିଚି ସ୍ପଷ୍ଟ କରାଯାଇ ନାହିଁ ।

ସୂଚନାଯୋଗ୍ୟ, ଆଙ୍କାରା ଦେଇ ଯୁଦ୍ଧଜାହାଜ ଯିବାକୁ ହେଳେ ଓ୍ୱାଶିଂଟନ ପକ୍ଷରୁ ୧୫ ଦିନ ପୂର୍ବରୁ ନୋଟିସ୍ ଦିଆଯାଇଥାଏ । ୧୯୩୬ ମୋନଟ୍ରେକ୍ସ କନଭେନସନ୍ ଆଧାରରେ ଆମେରିକାର କୌଣସି ଯୁଦ୍ଧ ଜାହାଜ ବୋସପୋରସ ଓ ଡାରଡାନେଲସ୍ ଦେଇ ବ୍ଲାକ୍ ସିରେ ପ୍ରବେଶ କରିଥାଏ । ତୁର୍କୀ ସେନା କୌଣସି ବିଦେଶ ଯୁଦ୍ଧ ଜାହାଜକୁ ବ୍ଲାକ୍ ସିରେ ୨୧ ଦିନ ଯାଏଁ ରହିବାକୁ ଅନୁମତି ଦେଇଥାଏ ।

ଗତ କିଛିଦିନ ହେଲା ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ସୀମା ବିବାଦ ଘନେଇବାରେ ଲାଗିଛି । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଛି । ଆମେରିକା ବ୍ଲାକ୍ ସିରେ ଦୁଇଟି ଯୁଦ୍ଧ ଜାହାଜ ନିୟୋଜିତ ଖବର ଆସିବା ପରେ ଋଷ ପ୍ରତିକ୍ରିୟାଶୀଳ ହୋଇଥିଲା । ଏହାସହ ଆମେରିକାର ଏହି ନିଷ୍ପତ୍ତିକୁ ବିରୋଧ ମଧ୍ୟ କରିଥିଲା । ତେବେ ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ସହ ଫୋନରେ କଥା ହୋଇଥିଲେ ।  ଏହାପରେ ଆମେରିକା ଯୁଦ୍ଧଜାହାଜ ମୁତୟନ ନେଇ ନିଷ୍ପତ୍ତିରୁ ଓହରିଥିବା କୁହାଯାଉଛି । ତେବେ ବାଇଡେନ୍ କଣ ଋଷକୁ ଡରି ଯୁଦ୍ଧ ଜାହାଜକୁ ପଛକୁ ହଟାଇଛନ୍ତି ବୋଲି ବିଶେଷଜ୍ଞମାନେ ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.