ପଢିଲେ ଇଞ୍ଜିନିୟରିଂ ପାଠ କିନ୍ତୁ ସ୍ବପ୍ନ ଦେଖାଇଲା ଅଲଗା ବାଟ, ପାହାଡିଆ ଜମିରେ କଳା ଧାନ ଫଳାଇ ଉଦାହରଣ ହେଲେ ସୌମ୍ୟକାନ୍ତ

Published By : Prameya-News7 Bureau | November 23, 2020 IST

ନୀଳଗିରି ୨୩।୧୧: ଇଚ୍ଛାଥିଲା ଡିପ୍ଲୋମା ପାସ୍ କରି ଇଞ୍ଜିନିୟର ହେବାକୁ । ପାଠପଢା ସରିବା ପରେ ସହଜରେ ମିଳିଲାନି ଚାକିରୀ । ପିଲାଦିନୁ ଚାଷ ପ୍ରତି ଦୁର୍ବଳତା ଥିଲା । ନିଜ ଜମିରେ ଫାର୍ମ ହାଉସଟିଏ କରିବାର ସ୍ବପ୍ନ ଦେଖିଥିଲେ । ଆଜି ତାଙ୍କର ସେ ସ୍ବପ୍ନ ପୂରଣ ନହେଲେ ବି ଚାଷ କରି ସଫଳ ହୋଇଛନ୍ତି ଯୁବ ଇଞ୍ଜିନିୟର । ଅର୍ଗାନିକ ଉପାୟରେ ପାହାଡିଆ ଅଞ୍ଚଳରେ କଳାଧାନ ଚାଷ କରି ଯୁବପୀଢ଼ିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର ସୌମ୍ୟକାନ୍ତ ପ୍ରଧାନ ।

{"id":366455,"sizeSlug":"large"}

ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ୨ ନମ୍ବର ୱାର୍ଡର ଘାଟଘରସାହି ଅଞ୍ଚଳରେ ସୌମ୍ୟକାନ୍ତ ପ୍ରଧାନଙ୍କ ଘର । ବାପା ରମାନାଥ ପ୍ରଧାନ ଓ ମା’ ଅହଲ୍ୟାଙ୍କ ସୁପୁତ୍ର ହେଉଛନ୍ତି ସୌମ୍ୟକାନ୍ତ । ୨୦୧୩ ମସିହାରେ ଡିପ୍ଲୋମା ଇଞ୍ଜିନିୟରିଂ ପାସ୍ କରିବା ପରେ ଚାକିରୀ ଖୋଜିଥିଲେ ସୌମ୍ୟକାନ୍ତ । ମାତ୍ର ତାଙ୍କୁ ଏତେ ସହଜରେ ଚାକିରୀ ମିଳିନଥିଲା । ରାଜ୍ୟ ବାହାରୁ ବିଭିନ୍ନ କମ୍ପାନୀରୁ ତାଙ୍କୁ ଅଫର ଆସିଥିଲା । ହେଲେ ବାପା-ମା’ଙ୍କର ଏକମାତ୍ର ପୁଅ ହୋଇଥିବା ସେମାନଙ୍କୁ ଛାଡି ଯାଇପାରିନଥିଲେ ସୌମ୍ୟକାନ୍ତ ।

{"id":366456,"sizeSlug":"large"}

ଏହି ସମୟରେ ବଡବାପା ଆଇନଜୀବୀ ରଘୁନାଥ ପ୍ରଧାନ ଓ କାକା ସାମ୍ବାଦିକ ରାଧାନାଥ ପ୍ରଧାନ ତାଙ୍କୁ ପ୍ରେରଣା ଯୋଗାଇଥିଲେ । ପାହାଡିଆ ଅଞ୍ଚଳ ଜମିରେ ଫାର୍ମ ହାଉସ କରିବା ସହ ଚାଷ କାମ କରିବାକୁ ଟିପ୍ସ ମଧ୍ୟ ଦେଇଥିଲେ । ଏହାପରେ ଚାକିରୀ ପଛରେ ନଗୋଡ଼ାଇ ଧାନ ଚାଷ ଆରମ୍ଭ କରିଥିଲେ ସୌମ୍ୟକାନ୍ତ । ଏହି ସମୟରେ ଆମେରିକାରେ ରହୁଥିବା ନୀଳଗିରି ଅଞ୍ଚଳର ଯୁବ ବୈଜ୍ଞାନିକ ଚନ୍ଦନ କାନ୍ତ ଦାସଙ୍କ ସହ ତାଙ୍କର ଦେଖା ହୋଇଥିଲା । ଅର୍ଗାନିକ ଉପାୟରେ କଳା ଧାନ ଚାଷ କରିବାକୁ ସେ ପରାମର୍ଶ ଦେଇଥିଲେ । କଳା ଧାନର ଚାଉଳରେ ହାର୍ଟ, ଡାଇବେଟିସ ସହ ଅନ୍ୟ ବଡ଼ବଡ଼ ରୋଗର ନିରାକରଣ ହେଉଥିବାରୁ ଏହାର ଚାହିଦା ବଜାରରେ ରହିଛି । ଚନ୍ଦନ ମାତ୍ର ୫ କେଜି ଧାନ ସୌମ୍ୟକାନ୍ତଙ୍କୁ ଦେଇଥିଲେ । ସୌମ୍ୟକାନ୍ତ ଅନଲାଇନରେ ଏହି ଚାଷ ଓ ଚାଉଳର ଉପକାରିତା ଦେଖି ଚାଷ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

{"id":366457,"sizeSlug":"large"}

ଚଳିତ ବର୍ଷ ସାଢ଼େ ୭ ଏକର ଜମିରେ ସାଳଫୁଲ, ସ୍ବର୍ଣ୍ଣ ଧାନ ଚାଷ କରିବା ସହ କଳା ଧାନ ଚାଷ ମଧ୍ୟ କରିଥିଲେ । ଧାନ ଚାଷ ମଧ୍ୟ ବେଶ୍ ଭଲ ହୋଇଥିଲା । କଳା ଧାନର ଚାଉଳ କେଜି ପ୍ରତି ୪୫୦ ଟଙ୍କା ବିକ୍ରୟ ହେଉଛି । ସୋମ୍ୟକାନ୍ତଙ୍କ ଦ୍ବାରା କରାଯାଇଥିବା ଏହି ଚାଷ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ଯୋଗାଇଛି ।

{"id":366459,"sizeSlug":"large"}

ସୌମ୍ୟକାନ୍ତ ଏକ ବେସରକାରୀ ଇଞ୍ଜିନିୟରିଂ କଲେଜରେ ମେକାନିକାଲ ବିଭାଗର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । କଳା ଧାନ ଦ୍ବାରା ରୋଗୀଙ୍କ ଉପକାରିତାକୁ ଦୃଷ୍ଟିରେ ରଖି ଆସନ୍ତା ବର୍ଷ ଅଧିକରୁ ଅଧିକ ଜମିରେ ଚାଷ କରିବେ ଜଣାପଡିଛି । ପରିବାର ଲୋକେ ପୁଅର ଏଭଳି ସଫଳତା ପାଇଁ ଖୁସିହୋଇଥିବା ବେଳେ ପ୍ରୋତ୍ସାହନ ଦେଇଥିବା ବୈଜ୍ଞାନିକ ଚନ୍ଦନ କାନ୍ତ ଦାସ ସୌମ୍ୟକାନ୍ତଙ୍କ ଏଭଳି ସଫଳତା ଦେଖି ସୁଦୂର ଆମେରିକାରୁ ଶୁଭେଚ୍ଛା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.