ଗଜପତି ଜିଲ୍ଲାରେ ପୁଣି ଗୁଣି ଗାରେଡି : ଗୁଣିଆକୁ ଥାନାକୁ ନେଇପାରିଲାନି ପୋଲିସ, ଲୋକ କଲେ ପ୍ରବଳ ବିରୋଧ

Published By : Prameya-News7 Bureau | November 03, 2018 IST

ପାରଳାଖେମୁଣ୍ଡି ୩|୧୧: ଗଜପତି ଜିଲ୍ଲାରେ ପୁଣି ଗୁଣି ଗାରେଡି । ରୋଗ ଭଲ ପାଇଁ ଗୁଣିଆକୁ ଡାକି  ପୂଜା ପାଠ କରିଛନ୍ତି ଲୋକେ । ଆଉ ଏ ଖବର ପାଇ ପୋଲିସ ଗୁଣିଆକୁ ଥାନାକୁ ଆଣିବାକୁ ଚେଷ୍ଟା କଲାବେଳେ ଲୋକଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛି ।ଘଟଣା ଘଟିଛି ଗଜପତି କଣ୍ଟେଇକୋଳି ଗାଁରେ । ଗାଁ ମଝିରେ ଚାଲିଛି ତନ୍ତ୍ର ପୂଜା । ଗାଁ ଦାଣ୍ଡରେ ଘେରି ରହିଛନ୍ତି ଲୋକେ । ମଝିରେ ବସି ଗୁଣିଆ କରୁଛି ପୂଜା ପାଠ । ଗାଁର ଦେବୀଙ୍କୁ ସନ୍ତୁଷ୍ଟି ପାଇଁ ଚାଲିଛି ଏଭଳି ପୂଜା ପାଠ । ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା କଣ୍ଟେଇକୋଳି ଗାଁର ।  ଗାଁରେ ଗତ କିଛିଦିନ ହେଲା ୮ରୁ ୧୦ ଜଣ ପିଲାଙ୍କ ଦେହ ଖରାପ ରହୁଛି । ଗତ ୩୧ ରେ ଗାଁର ଜଣେ ୧୮ ବର୍ଷୀୟ ଯୁବକ ରଞ୍ଜନ ମଲ୍ଲିକଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଛି । ଦେବୀଙ୍କ କୋପ ପାଇଁ ଏସବୁ ଘଟୁଥିବା ବିଶ୍ବାସ କରି ଗୁଣିଆକୁ ଡାକି ପୂଜା ପାଠ କରୁଛନ୍ତି ଗାଁ ଲୋକେ । ଗୁଣିଆ ପରମାନନ୍ଦ ପରିଛା ପୂଜା ପାଠ କରୁଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଥିଲା ମୋହନା ପୋଲିସ ।ଗୁଣିଆ ପରମାନନ୍ଦଙ୍କୁ ଥାନାକୁ ଆଣିବାକୁ ଚେଷ୍ଟା କରିଥିଲା । ହେଲେ ବାଟ ଓଗାଳିଥିଲେ ଗାଁ ଲୋକେ । ପୋଲିସ ଗାଡିକୁ ଛାଡିନଥିଲେ । ଗାଁ ଲୋକଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା । ଦୁଇ ଘଣ୍ଟା ଧରି ଏପରି ପରିସ୍ଥିତି ଲାଗି ରହିବା ପରେ ଗାଁ ଲୋକଙ୍କୁ ବହୁକେଷ୍ଟାରେ ବୁଝାଇବାକୁ ସକ୍ଷମ ହୋଇଥିଲା ପୋଲିସ । ଗୁଣିଆ ପରମାନନ୍ଦକୁ ଥାନାକୁ ଆଣି ପଚରା ଉଚାର କରିବା ପରେ ଅଣ୍ଡରଟେକିଂ ଲେଖି ଛାଡିଛି ପୋଲିସ ।ଏହି ଘଟଣା ସେଠାରେ ଚର୍ଚ୍ଚାର ବିଷୟ ହୋଇଛି । ଗଜପତି ଜିଲ୍ଲାରେ ଗୁଣିଗାରେଡି, ତନ୍ତ୍ରମନ୍ତ୍ର ଯୋଗୁଁ ଅନେକ ନୀରିହ ଲୋକଙ୍କ ଜୀବନ ଯିବା ସହ ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ବଢୁଛି । ଏହି ଅନ୍ଧବିଶ୍ବାସରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ସବୁ ସ୍ତରରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.