କମିଲାଣି କରୋନା, ହେଲେ ଜାରି ରହିଛି ବ୍ଲାକ୍ ଫଙ୍ଗସ୍ ପ୍ରକୋପ: ଏବେ ଯାଏଁ ୪୦ ହଜାରରୁ ଅଧିକ ଆକ୍ରାନ୍ତ

Published By : Prameya-News7 Bureau | June 28, 2021 IST

ନୂଆଦିଲ୍ଲୀ ୨୮/୦୬ : ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରକୋପ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ବ୍ଲାକ୍ ଫଙ୍ଗସ୍ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ ସୁଦ୍ଧା ଦେଶରେ ୪୦ ହଜାର ୮୪୫ ମାମଲା ସାମ୍ନାକୁ ଆସିଛି। ଅଧିକାଂଶ ରୋଗୀଙ୍କ ମସ୍ତିସ୍କ ଓ ନାସିକ ତନ୍ତ୍ରରେ ସଂକ୍ରମଣ ହୋଇଛି। ସୋମବାର ଦିନ କେନ୍ଦ୍ର ସରକାରଙ୍କ କରୋନାକୁ ନେଇ ୨୯ତମ ବୈଠକ ବେଳେ ଏହି ଡାଟା ଜାରି କରାଯାଇଛି। ଏବେ ଯାଏଁ ଦେଶରେ ବ୍ଲାକ ଫଙ୍ଗସର ୪୦ ହଜାର ୮୪୫ ମାମଲା ସାମ୍ନାକୁ ଆସିଛି। ଏମାନଙ୍କ ମଧ୍ୟରୁ ୩୧ ହଜାର ୩୪୪ ରୋଗୀଙ୍କ ନାସିକ ତନ୍ତ୍ର ଓ ମସ୍ତିସ୍କରେ ସଂକ୍ରମଣ ହୋଇଛି। ଏହାକୁ Rhinocerebral mucormycosis ମଧ୍ୟ କୁହାଯାଏ। ଏଥିଯୋଗୁଁ ନାକ, ମୁହଁ, ମସ୍ତିସ୍କ ଆଦିରେ ଫଙ୍ଗସ ଜମା ହୋଇଯାଏ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଏବେ ସୁଦ୍ଧା ବ୍ଲାକ ଫଙ୍ଗସ ଯୋଗୁଁ ୩୨୨୯ ଜଣଙ୍କ ମୃତ୍ୟୁ ହୋଇଛି। ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମଧ୍ୟରୁ ୩୪ ହଜାର ୯୪୦ ଜଣ କରୋନାରେ ସଂକ୍ରମିତ ଥିଲେ। ଏହାଛଡା ୬୪ ପ୍ରତିଶତ ଅର୍ଥାତ ୨୬ ହଜାର ୧୮୭ ଜଣ ଗମ୍ଭୀର ରୋଗରେ ଆକ୍ରାନ୍ତ ଥିଲେ। ଆହୁରି ୫୨.୬୯ ପ୍ରତିଶତ ଲୋକଙ୍କୁ ଷ୍ଟେରଏଡ୍ ଯୋଗୁଁ ସଂକ୍ରମଣ ହୋଇଥିଲା।

ବ୍ଲାକ୍ ଫଙ୍ଗସ୍ ମଧ୍ୟ କରୋନା ଭଳି ସବୁ ଆୟୁ ବର୍ଗର ଲୋକଙ୍କୁ ଆକ୍ରାନ୍ତ କରୁଛି। ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ମଧ୍ୟରେ ୩୨ ପ୍ରତିଶତ ରୋଗୀଙ୍କ ବୟସ ୧୮ ରୁ ୪୫ ବର୍ଷ ମଧ୍ୟରେ ଥିଲେ। ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ମଧ୍ୟରେ ୧୦ ହଜାର ୮୨ ଜଣ ଆକ୍ରାନ୍ତ ହୋଇଛନ୍ତି।

କରୋନାର ଦ୍ୱିତୀୟ ଲହର ବହୁ ମାତ୍ରାରେ ହ୍ରାସ ପାଇଛି। କରୋନାକୁ ନେଇ ମନ୍ତ୍ରୀ ସମୂହଙ୍କ ବୈଠକରେ ଉପସ୍ଥିତ ଥିବା ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗବ କହିଛନ୍ତି ଯେ ଦ୍ୱିତୀୟ ଲହର ଦୁର୍ବଳ ପଡ଼ିଲାଣି। କିନ୍ତୁ ଏବେ ବି ସଚେତନ ରହିବା ଆବଶ୍ୟକ। କାରଣ ଦେଶର ୮୦ ଜିଲ୍ଲାରେ ପଜିଟିଭ ହାର ଅଧିକ ରହିଛି। ଏହିଭଳି ସ୍ଥିତିରେ ଅବହେଳା କରିବା ମହଙ୍ଗା ପଡିପାରେ ବୋଲି ସେ କହିଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଓଡିଶା ଓ ପଶ୍ଚିମବଙ୍ଗରେ ପଜିଟିଭ ହାର ରାଷ୍ଟ୍ରୀୟ ସ୍ଥରରୁ ଅଧିକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.