ଏବେ କୋଲକାତାରେ ଅଛନ୍ତି କେନ୍ଦ୍ର ସରକାର, ମାର୍ଚ୍ଚ ୧୩ରେ ଆମେ ବି ସେଠାକୁ ଯିବୁ: ରାକେଶ ଟିକାୟତ

Published By : Prameya-News7 Bureau | March 07, 2021 IST

ନୂଆଦିଲ୍ଲୀ ୭।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନକୁ ୧୦୦ ଦିନ ପୂରଣ ହେଲାଣି। ହେଲେ ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ ନାଁ ଧରୁ ନାହାନ୍ତି କେନ୍ଦ୍ର ସରକାର। ଏଣୁ ଚାଷୀ ଏବେ ଅଧୈର୍ଯ୍ୟ ହେବାରେ ଲାଗିଲେଣି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ପୁରା କେନ୍ଦ୍ର ସରକାର ଏବେ କୋଲକାତା ବସିଛି। ଏଣୁ ସରକାରଙ୍କ ସହ ଆଲୋଚନା ଲାଗି କୃଷକ ନେତାମାନେ କୋଲକାତା ଯିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି।

ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ମାର୍ଚ୍ଚ ୧୩ ତାରିଖରେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ରବିବାର ଘୋଷଣା କରିଛନ୍ତି। ଏଥିରୁ ଚାଷୀମାନେ ଏବେ ସେହି ସବୁ ସ୍ଥାନକୁ ଯିବେ ଯେଉଁ ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି। ସରକାର ଏବେ ସେମାନଙ୍କୁ ଅଣଦେଖା କରୁଛନ୍ତି ବୋଲି ଚାଷୀ ଜାଣି ସାରିଲେଣି। ଏଣୁ ଚାଷୀ ସବୁ ରାସ୍ତାରେ ସରକାରଙ୍କୁ ଏବେ ଘେରିବା ଲାଗି ନୂଆ ରଣନୀତିରେ ଆଗକୁ ବଢୁଛନ୍ତି।

ଏଥିରେ କୃଷକ ନେତା ରାକେଶ ଟିକାୟତ ପଶ୍ଚିମବଙ୍ଗ ଗସ୍ତ କରି ରାଜ୍ୟର ଚାଷୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।  ଚାଷୀ ଆନ୍ଦୋଳନ  ବିଧାନସଭା ନିର୍ବାଚନ ପ୍ରସଙ୍ଗ ହେଉ ତାହା କୃଷକ ନେତା ଚାହୁଁଛନ୍ତି। ଏଥିଲାଗି ଯାହା ଦରକାର ସବୁ କରାଯିବ ବୋଲି କହିଛନ୍ତି ଟିକାୟତ। ତେଣେ ଆଇନ ପ୍ରତ୍ୟାହାର ନ ହେଲେ ଚାଷୀ ଦିଲ୍ଲୀ ସୀମାରୁ ନ ହଟିବାକୁ ଏକ ପ୍ରକାର ପଣ କରିନେଇଥିବା ପରି ଲାଗୁଛି। ଆଗକୁ ଗ୍ରୀଷ୍ମ ଋତୁ, ଏଥିରେ ଆନ୍ଦୋଳନ ଜାରି ରଖିବା ଲାଗି ଚାଷୀ ନଡା ଓ ବାଉଁଶ ଆଣି ଦିଲ୍ଲୀ ସୀମାରେ ଚାଳ ଛପର ଘର ତିଆରିବାରେ ଲାଗିଲେଣି।

୩ କୃଷି ଆଇନ ପ୍ରତ୍ୟାହାର ଚାଷୀଙ୍କ ଦାବି ବୋଲି ରାକେଶ ଟିକାୟତ ଶନିବାର କହିଛନ୍ତି। ସରକାର ଯେଉଁ ପର୍ଯ୍ୟନ୍ତ ଆଇନ ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଦିଲ୍ଲୀରେ ଜାରି ରହିବ। ଏହା ଛଡା ଏହାକୁ ସାରା ଦେଶରେ ବ୍ୟାପକ କରିବାକୁ ଉଦ୍ୟମ କରାଯିବ ବୋଲି ସେ କହିଥିଲେ। ଏହି ଅବସରରେ ଦିଲ୍ଲୀ କୃଷକ ଆନ୍ଦୋଳନର ବାର୍ତ୍ତା ନେଇ ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ଯାଉଥିବା ଟ୍ରାକ୍ଟର ରାଲିକୁ ଟିକାୟତ ପତାକା ଦେଖାଇ ଉଦଘାଟନ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.