ଆସିବ 'ଡାକୋଟା', ରହିବ ବିମାନ ବନ୍ଦର ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପାଖରେ

Published By : Prameya-News7 Bureau | February 04, 2020 IST

ଭୁବନେଶ୍ବର୪/୨: କୋଲକୋତାରୁ ଓଡିଶା ଆସିବ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରିୟ ଡାକୋଟା। ଦୀର୍ଘଦିନ କୋଲକୋତା ବିମାନବନ୍ଦରରେ ପଡ଼ି ରହିବା ପରେ ଓଡ଼ିଶା ଆଣିବାକୁ ରାଜ୍ୟ​ ସରକାର ମନ ବଳାଇଛନ୍ତି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦ ରାସ୍ତାର ଗୋଲେଇ ଛକରେ ଥିବା ବିଜୁ ବାବୁଙ୍କ ପ୍ରର୍ତ୍ତିମୂର୍ତ୍ତି ନିକଟରେ ଡାକୋଟା  ରହିବା ପାଇଁ ସ୍ଥିର ହୋଇଛି। ଏହି ଡାକୋଟା କିପରି ଆସିବ ଓ କେବେ ଆସିବ ଏହି ଦିଗରେ ପ୍ରୟାସ ଚଳାଇଛି ରାଜ୍ୟ ପରିବହନ ବିଭାଗ।ଏହାକୁ ଫେରାଇ ଆଣିବା ପାଇଁ ବିଭିନ୍ନ ମହଲରେ ଦାବି ଉଠିଥିଲା। ଏହାକୁ ଆଣିବା ପାଇଁ ପ୍ରଥମେ ସଂସ୍କୃତି ବିଭାଗକୁ ଦାୟିତ୍ବ ଦିଆଯାଇଥିଲା। ସେଥିପାଇଁ ୨୦୧୮-୧୯ ଆର୍ଥିକ ବର୍ଷ ବଜେଟ୍‌ରେ ସଂସ୍କୃତି ବିଭାଗ ପାଇଁ ୧୦ କୋଟି ଟଙ୍କା ବରାଦ​‌ ରହିଥିଲା। ଏହି ଦିଗରେ ସଂସ୍କୁତି ବିଭାଭ ବିଫଳ ହେବାରୁ ପୁଣି ସରକାରୀ ପାଣ୍ଠି ଟଙ୍କା ଫେରି ଯାଇଥିଲା।

ପୁଣି ଥରେ ବିଜୁ ବାବୁଙ୍କ ଡାକୋଟା ଫେରାଇ ଆଣିବା ପାଇଁ ରାଜ୍ୟ ପରିବହନ ବିଭାଗକୁ ଦାୟିତ୍ବ ଦିଆଯାଇଛି। ସେଥିପାଇଁ ଭାରତୀୟ ବିମାନ ବନ୍ଦରର ପ୍ରାଧିକରଣ (ଏଏଆଇ)କୁ ଚିଠି ଲେଖି ଅନୁମତି ମାଗିଥିଲା ରାଜ୍ୟ ପରିବହନ ବିଭାଗ। ତେଣୁ ରାଜ୍ୟ ସରକାରଙ୍କ ଏକ ବିଶେଷଜ୍ଞ ଟିମ କୋଲକୋତାରେ ପହଞ୍ଚି ଡାକୋଟା ସଂପର୍କରେ ଅନୁଧ୍ୟାନ କରିବେ।ଏହି ଡାକୋଟା ପୁରୁଣା ହୋଇଯାଇଥିବାରୁ  କିଛି ପାର୍ଟ୍ସ ନଷ୍ଟଭ୍ରଷ୍ଟ ହୋଇଯାଇଛି। ତେଣୁ ଓଡ଼ିଶା ଆସିବାରେ ବିଜୁ ବାବୁଙ୍କ ସ୍ମୃତି ଡାକୋଟାକୁ ସମ୍ପୂର୍ଣ୍ଣ ମରାମତି କରାଯିବ।

ଏହି ଡାକୋଟାକୁ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ରଖାଯିବ। ଏଥିସହ ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକ ଦେଖାଇଥିବା ବୀରତ୍ବ ଓ କଳିଙ୍ଗ ଏୟାରଲାଇନ୍ସ ପ୍ରତିଷ୍ଠା ପର୍ଯ୍ୟନ୍ତ ସବୁର ସୂଚନା ରହିବ।ଏହାକୁ ଗୋଟିଏ ଛୋଟ ସଂଗ୍ରହାଳୟରେ ପରିଣତ କରାଯିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.