ଓକିଲରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା... ଜାଣନ୍ତୁ ପୂର୍ବତ୍ତୋରରେ ବିଜେପିର 'ଚାଣକ୍ୟ' ହିମନ୍ତ ବିଶ୍ଵ ଶର୍ମାଙ୍କ କାହାଣୀ

Published By : Prameya-News7 Bureau | May 09, 2021 IST

ଗୌହାଟୀ ୦୯।୦୫: ବିଜେପିରେ ଗତ ଅନେକ ଦିନ ଧରି ଚାଲିଥିବା ମାନସ ମନ୍ଥନ ପରେ ଆଜି ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ଵ ଶର୍ମାଙ୍କ ନାମ ଘୋଷଣା କରାଯାଇଛି। ଆସାମର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବିଧାୟକ ଦଳ ବୈଠକ ପରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ଵ ଶର୍ମା ସୋମବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ଦେଇଛନ୍ତି।

ହିମନ୍ତ ବିଶ୍ଵ ଶର୍ମା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଣଦେଖା ଆରୋପ ଲଗାଇ ୨୦୧୫ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ୨୦୧୬ ବିଧାନସଭା ନିର୍ବାଚନ ଓ ୨୦୧୯ର ଲୋକସଭା ନିର୍ବାଚନରେ ହିମନ୍ତ ବିଶ୍ଵା ଶର୍ମାଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା। ବିଧାନସଭା ନିର୍ବାଚନ ପୂର୍ବରୁ ଯେବେ  ସିଏଏ  ବିରୋଧରେ ରାଜ୍ୟରେ ଜୋରଦାର ପ୍ରଦର୍ଶନ ହେଉଥିଲା ଏବଂ କରୋନା ବଢୁଥିବା ମାମଲା ନେଇ କେନ୍ଦ୍ର ପ୍ରଶ୍ନ ଘେରରେ ଥିଲା, ଠିକ୍ ସେହି ଘଡିସନ୍ଧି ସମୟରେ ହିମନ୍ତ ଦଳ ପାଇଁ ଜୋରଦାର ପ୍ରଚାର କରିଥିଲେ। ନିଜର କଥାକୁ ମତଦାତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାରେ ସଫଳ ହୋଇଥିଲେ। ୨୦୧୬ରେ ଆସାମ ବିଧାନସଭା ନିର୍ବାଚନ ଜିତିବା ପରେ ହିମନ୍ତଙ୍କୁ ବିଜେପି ଉତ୍ତର-ପୂର୍ବ ଡେମୋକ୍ରାଟିକ ଆଲାୟନ୍ସର ସଭାପତି କରାଯାଇଥିଲା।

ଓକିଲରୁ ରାଜନୈତିକ କ୍ଷେତ୍ର ପର୍ଯ୍ୟନ୍ତ ହିମନ୍ତଙ୍କ ଯାତ୍ରା

ହିମନ୍ତ ବିଶ୍ଵ ଶର୍ମା ୧୯୬୯ ମସିହା ଫେବୃଆରୀ ୧ରେ ଜନ୍ମ ଗ୍ରହଣ କରିଥିଲେ। ହିମନ୍ତଙ୍କ ପରିବାରରେ ମା ମୃଣାଳିନୀ ଦେବୀ, ପତ୍ନୀ ରିନିକି ଭୁୟାନ ଓ ଦୁଇଟି ପିଲା ଅଛନ୍ତି। ହିମନ୍ତଙ୍କ ପ୍ରାରମ୍ଭିକ ଶିକ୍ଷା ଗୌହ୍ଵାଟୀର କଟନ  କଲେଜ୍‌ରେ ହୋଇଥିଲା। ଏହା ପରେ ହିମନ୍ତ ରାଜନୀତି ବିଜ୍ଞାନରେ ପିଜି କରିଥିଲେ। ଏଠାରୁ ହିଁ ହିମନ୍ତ ଛାତ୍ର ଜୀବନରୁ ରାଜନୈତିକରେ ସକ୍ରିୟ ହୋଇଥିଲେ। ଶର୍ମା ୧୯୯୧-୯୨ରେ କଟନ କଲେଜ୍‌ର ସାଧାରଣ ସଂପାଦକ ହୋଇଥିଲେ। ଏହା ପରେ ସରକାରୀ ଆଇନ କଲେଜ୍ରୁ ଏଲଏଲବି ଏବଂ ଗୌହ୍ଵାଟୀ କଲେଜ୍‌ରୁ ପିଏଚଡିରେ ଡିଗ୍ରୀ କରିଥିଲେ। ଆଇନରେ ଡିଗ୍ରୀ ହାସଲ କରିବା ପରେ ହିମନ୍ତ ୫ ବର୍ଷ ପର୍ଯ୍ୟନ୍ତ ଗୌହ୍ଵାଟୀ ହାଇକୋର୍ଟରେ ଓକିଲାତି କରିଥିଲେ।

ହିମନ୍ତ ବିଶ୍ଵ ଶର୍ମା ୨୦୦୧ ମେରେ ପ୍ରଥମ ଥର ଜାଲୁକବାରୀ ଆସନରୁ ବିଜୟ ହାସଲ କରିଥିଲେ। ଏହା ପରେ ସେ ଆସାମର ଗତ ସରକାରରେ ଅର୍ଥ, କୃଷି ଓ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପରି ଗୁରୁତ୍ଵପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସହ ବିବାଦ ପରେ ୨୦୧୪ ଜୁଲାଇରେ ସେ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ।

ହିମନ୍ତ ଆସାମର ଜାଲୁକବାରି ବିଧାନସଭା ଆସନରୁ କ୍ରମାଗତ ପାଞ୍ଚ ଥର ବିଜୟ ହାସଲ କରିବାରେ ସଫଳ ହୋଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ରୋମେନ ଚନ୍ଦ ବୋରଠାକୁରଙ୍କୁ ୧ ଲକ୍ଷ ୧ ହଜାର ୯୧୧ ଭୋଟ୍‌ରେ ପରାସ୍ତ କରି ଜାଲୁକବାରି ଆସନରେ କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.