ଶ୍ରୀନଗର ୦୫।୧୧: ପାକିସ୍ତାନ ଦ୍ଵାରା ନିଜ ବାୟୁ କ୍ଷେତ୍ରର ବ୍ୟବହାର କରିବାକୁ ମନା କଲେ ମଧ୍ୟ ଶ୍ରୀନଗର ଓ ସାରଜା ମଧ୍ୟରେ ସିଧାସଳଖ ବିମାନ ଉଡାଣରେ କୌଣସି ପ୍ରଭାବ ପଡିବ ନାହିଁ। ଶ୍ରୀନଗରରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଶୁକ୍ରବାର ଏହା କହିଛନ୍ତି ଜାମ୍ମୁ-କାଶ୍ମୀର ବିଜେପି ସଭାପତି ରବୀନ୍ଦ୍ର ରୈନା। ସେ କହିଛନ୍ତି, ଫରକ ଏତିକି ପଡିବ ଯେ ଅଧିକ ବାଟ ଯାତ୍ରା କରିବାକୁ ପଡିବ।
ରୈନା କହିଛନ୍ତି, କିଛି ଦିନ ପୂର୍ବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଶ୍ରୀନଗର ଗସ୍ତ କରିଥିଲେ ଏବଂ ଶ୍ରୀନଗର-ସାରଜା ମଧ୍ୟରେ ସିଧାସଳଖ ବିମାନ ଉଡାଣର ଉଦଘାଟନ କରିଥିଲେ। ମାତ୍ର ନିରାଶଜନକ କଥା ପାକିସ୍ତାନ ନିଜର ବାୟୁ କ୍ଷେତ୍ରକୁ ବନ୍ଦ କରି ଦେଇଛି। ଏହା କରି ପାକିସ୍ତାନ ପ୍ରମାଣିତ କରି ଦେଇଛି ଯେ, ସେ କାଶ୍ମୀର ଲୋକଙ୍କ ପାଇଁ ସବୁଠୁ ବଡ ଶତ୍ରୁ। ପାକିସ୍ତାନ କେବେ ବି କାଶ୍ମୀରୀବାସୀଙ୍କ ଶୁଭଚିନ୍ତକ ହୋଇ ପାରିବ ନାହିଁ।
ରୈନା କହିଛନ୍ତି, ଏହା ସତ୍ତ୍ଵେ ବି ଶ୍ରୀନଗରରୁ ସାରଜା ବିମାନ ଉଡାଣ ଜାରି ରହିବ। କିନ୍ତୁ ପାକିସ୍ତାନ ବାୟୁ କ୍ଷେତ୍ର ଦେଇ ନୁହେଁ ବରଂ ଲମ୍ଵା ରାସ୍ତା ଦେଇ ଯାତ୍ରା କରିବ। ଏବେ ଶ୍ରୀନଗରରୁ ଦିଲ୍ଲୀ ପୁଣି ମୁମ୍ଵାଇ ଏବଂ ସେଠାରୁ ସାରଜା କିମ୍ବା ସାଉଦି ଅଭିମୁଖେ ଉଡାଣ ଭରିବ। ଦୁନିଆ ପୁଣି ଥରେ ପାକିସ୍ତାନର ହୀନ ଉଦ୍ଦେଶ୍ୟ ଦେଖିଲା। ପାକିସ୍ତାନ ସର୍ବଦା କାଶ୍ମୀରକୁ ରକ୍ତରଞ୍ଜିତ କରିଛି ଏବଂ ଧ୍ଵଂସ କରିବାକୁ ଚେଷ୍ଟା କରିଛି। ଆମେ ପାକିସ୍ତାନର ହୀନ ଉଦ୍ଦେଶ୍ୟକୁ ପଣ୍ଡ କରିବୁ ବୋଲି ଜୈନ କହିଛନ୍ତି।