ଟ୍ରାକ୍ଟର ରାଲି ସମୟରେ ତ୍ରିରଙ୍ଗାକୁ ଅପମାନ ହୋଇଥିବା ଅଭିଯୋଗ କରି ପ୍ରତିବାଦ ଉପବାସ ପାଳିଲା ଭଦ୍ରକ ବିଜେପି ଯୁବମୋର୍ଚ୍ଚା

Published By : Prameya-News7 Bureau | January 30, 2021 IST

ଭଦ୍ରକ,୩୦/୦୧:  ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ତ୍ରିରଙ୍ଗାକୁ ଅପମାନ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।  ଜାତୀୟ ପତାକାକୁ ଅପମାନ ଘଟଣାରେ ଶନିବାର ରାଷ୍ଟ୍ର ପାଇଁ ଉପବାସ ପାଳୁଛି ବିଜେପି ଯୁବ ମୋର୍ଚ୍ଚା । ଭଦ୍ରକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ଏହି ଉପବାସ ପାଳନ ହେଉଛି ।

ଯୁବ ମୋର୍ଚ୍ଚାର ଶତାଧିକ କର୍ମୀ ସହରର ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଉପବାସରେ ବସିଛନ୍ତି । ଟ୍ରାକ୍ଟର ରାଲି ବେଳେ ଯେଉଁ ଭଳି କାଣ୍ଡ ଘଟିଛି ତାହା ଦେଶର ଚାଷୀ ଓ ଦେଶବାସୀଙ୍କ ପାଇଁ ଅପମାନଜନକ ବୋଲି କହିଛି ଦଳ ।

ଯୁବମୋର୍ଚ୍ଚା ପକ୍ଷରୁ ଆହୁରି କୁହାଯାଇଛି ଯେ, ଜାନୁଆରୀ ୨୬ରେ ଘଟିଥିବା ଏହି କାଣ୍ଡ ପଛରେ ନକଲି ଚାଷୀଙ୍କ ହାତ ରହିଛି । ଏହା ଦେଶ ପ୍ରତି ଅପମାନ। ତେବେ ଏହାକୁ ନିନ୍ଦା କରିବା ସହ ୧୨ ଘଣ୍ଟିଆ ଉପବାସ ପାଳନ କରାଯାଉଛି । ଯୁବମୋର୍ଚ୍ଚାର କର୍ମୀମାନେ ସନ୍ଧ୍ୟାରେ ଭାରତ ମାତାଙ୍କ ମନ୍ଦିରରେ ପହଞ୍ଚି ପାଦୁକା ସେବନ ପରେ ଏହି ଉପବାସ ଭଙ୍ଗ କରିବେ । ଏହା ସହ ଏକ ଦସ୍ତଖତ ଅଭିଯାନ ମଧ୍ୟ ଆୟୋଜନ କରାଯାଇଛି। ଯେଉଁଥିରେ ସାଧାରଣ ଜନତାଙ୍କ ଦସ୍ତଖତ ଥିବା ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପ୍ରେରଣ କରାଯିବ । ଏହି ଦାବିପତ୍ରରେ ଦିଲ୍ଲୀ ଘଟଣାରେ ତ୍ରିରଙ୍ଗାକୁ ଅପମାନ କରିଥିବା ଅସାମାଜିକତତ୍ଵଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଅନୁରୋଧ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.