କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ବିରୋଧରେ ପୋଷ୍ଟର୍, ସୋସିଆଲ ମିଡିଆରେ ନକରାତ୍ମକ ମନ୍ତବ୍ୟ: ଥାନାରେ ଏତଲା ଦେଲେ ବିଜେପି କର୍ମୀ
1/06/2020 at 6:53 PM

ନୀଳଗିରି, ୦୧|୦୬: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ନାଁରେ କାନ୍ଥରେ ଲାଗିଛି ନିଖୋଜ ପୋଷ୍ଟର । ଫେସବୁକରେ ମଧ୍ୟ ନରକାତ୍ମକ ମନ୍ତବ୍ୟ । ଏନେଇ ବାଲେଶ୍ୱର ଓ ନୀଳଗିରି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ମାମଲା ଥାନାକୁ ଯାଇଛି । ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ବିରୋଧରେ ଏପରି କୁତ୍ସାରଟନା ପ୍ରତିବାଦରେ ସୋମବାର ନୀଳଗିରିର ବିଭିନ୍ନ ଥାନାରେ ମାମଲା ରୁଜୁ କରାଯାଇଛି।
ଗତ ୩୦,୩୧ ତାରିଖ ଦିନ ବାଲେଶ୍ଵରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ନିଖୋଜ ସମ୍ପର୍କିତ ପୋଷ୍ଟର ସହ ତାଙ୍କ ବିରୋଧରେ ସୋସିଆଲ ମିଡିଆ ଫେସବୁକରେ ବିଭିନ୍ନ କଟୁ କଥା ଓ ମିଥ୍ୟା ଲେଖାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଲକଡାଉନ୍ ସମୟରେ ଦିଲ୍ଲୀରୁ ଫେରି ନପାରି ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ବାଲେଶ୍ୱରବାସୀଙ୍କୁ ସହଯୋଗ କରିବା, ପ୍ରଶାସନିକ ଅଧିକାରୀଙ୍କ ସହ ସର୍ବଦା ଯୋଗସୂତ୍ର ରଖିବା, ଅମ୍ଫାନ ବାତ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଅଥଚ ଫେସବୁକରେ ତାଙ୍କ ବିରୋଧରେ ଲେଖାଯିବା ଫଳରେ ତାଙ୍କର (କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କର) ସମ୍ମାନହାନୀ ସହିତ ବାଲେଶ୍ୱରବାସୀଙ୍କ ମନରେ ମଧ୍ୟ କୁଠାରଘାତ ସଦୃଶ ହୋଇଛି । ଏହା ଦର୍ଶାଇ ସୋମବାର ନୀଳଗିରି ବିଜେପି ନଗର ମଣ୍ଡଳ ତରଫରୁ ପ୍ରଫୁଲ୍ଲ କୁମାର ଦଳାଇ ନୀଳଗିରି ଥାନାରେ ଅଭିଯୋଗ ଦାୟାର କରାଯାଇଛି । ସେହି ଅଭିଯୋଗରେ ଜୟନ୍ତ ମଲ୍ଲିକ,ଗୌତମ ସାହୁ,ମହମ୍ମଦ ଶେଖ, ଜିତେନ୍ଦ୍ର ମହାନ୍ତି,ସୁଧାଂଶୁ ଶେଖର ଜେନା,ସଞ୍ଜୀବ ଗିରିଙ୍କ ନାମରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନୀଳଗିରି ଥାନାରେ ମାମଲା ଦାୟର ହୋଇଛି ।