କେନ୍ଦ୍ର ଓ ରାଜ୍ୟ ଅର୍ଥ କମିଶନ ଅଂଶ ବଣ୍ଟନରେ ନିୟମକୁ ଉଲ୍ଲଙ୍ଘନ ଅଭିଯୋଗ, ବିଜେପି କର୍ମୀଙ୍କ ଅନଶନ

Published By : Prameya-News7 Bureau | June 22, 2021 IST

ଆଠଗଡ଼, ୨୨/୦୬: କଟକ ଜିଲ୍ଲା ବଡ଼ମ୍ବା ବ୍ଲକରେ ବ୍ୟାପକ ଅନିୟମିତତା ଏବଂ ବେଲିଆପାଳ ଗ୍ରାମ ପଞ୍ଚାୟତକୁ ବ୍ଲକ ପ୍ରଶାସନର ବୈମାତୃକ ମନୋଭାବ ନେଇ ଅଭିଯୋଗ ଆଣିଛି ବିଜେପି । ଏହାକୁ ପ୍ରତିବାଦ କରି ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟରେ ଆଜିଠୁ ଆମରଣ ଅନଶନରେ ବସିଛନ୍ତି ବେଲିଆପାଳ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରା ।

ସୂଚନାରୁ ପ୍ରକାଶ ଯେ ବଡ଼ମ୍ବା ପଞ୍ଚାୟତ ସମିତି ଦ୍ୱାରା କେନ୍ଦ୍ରିୟ ପଞ୍ଚଦଶ ଅର୍ଥ କମିଶନ ଓ ରାଜ୍ୟ ପଞ୍ଚମ ଅର୍ଥ କମିଶନ ସମିତି ଅଂଶ ବଣ୍ଟନରେ ସରକାରୀ ନିୟମକୁ ଉଲ୍ଲଙ୍ଘନ କରିବା ନେଇ ଅଭିଯୋଗ ଆଣିଛନ୍ତି ବିଜୟ ଦଳବେହେରା । ପଂଚାୟତ ସମିତିର ବୈଠକ ପ୍ରତି ୨ ମାସରେ ଥରେ ବସିବାର ନିୟମ ଥିଲେ ମଧ୍ୟ ଏହା ୧ ବର୍ଷ ବ୍ୟବଧାନରେ ଥରେ ଲେଖାଁଏ ବସୁଥିବା ସେ ଅଭିଯୋଗ କରିଛନ୍ତି । ବେଲିଆପାଳ ପଞ୍ଚାୟତ ସମିତି ସଭ୍ୟ ବିଜୟ ଦଳବେହେରା । ଏ ସଂକ୍ରାନ୍ତରେ ସେ ବ୍ଲକ ଅଧ୍ୟକ୍ଷ, ବିଡ଼ିଓ, ସହକାରୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ସେ ଅନଶନରେ ବସିଛନ୍ତି ।

ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ପଞ୍ଚାୟତକୁ ସଠିକ ଭାବେ ଅନୁଦାନ ଅର୍ଥ ବଣ୍ଟନ କରା ନଯାଇଛି ସେ ପର୍ଯ୍ୟନ୍ତ ବଡ଼ମ୍ବା ଜନସାଧାରଣଙ୍କ ହିତ ପାଇଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି ବିଜେପି ନେତା ବିଜୟ ଦଳବେହେରା। ଅନ୍ୟପଟେ ବଡ଼ମ୍ବା ବିଡ଼ିଓ କହିଛନ୍ତି ଅନଶନକାରୀଙ୍କ ସହ କଥା ହେବା ପରେ କଣ ହୋଇପାରିବ ତାହା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.