ଭୁବନେଶ୍ବର ୧୮|୧: ପିପିଲି ଗଣଦୁଷ୍କର୍ମ ମାମଲାରେ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ଏମଏଲଏ କଲୋନି ଭିତରକୁ ଧସେଇ ପଶିବା ସହ ବିଜେଡି ବିଧାୟକଙ୍କ ବାସଭବନ ଆଗରେ ସାଲୁକନା ଓ ନାଲି ଚୂଡି ବାନ୍ଧିଛନ୍ତି । ପୂର୍ବରୁ ଏହି ପ୍ରସଙ୍ଗରେ ନବୀନ ନିବାସ ଘେରାଉ କରିବା ସହ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା ।
{"id":75342}୨୦୧୧ ନଭେମ୍ବର ୨୯ । ପିପିଲି ଥାନା ଅର୍ଜୁନଗୋଦା ଗାଁର ବେବିନା ବେହେରାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯିବା ପରେ ସେ କଟକ ବଡ଼ ମେଡିକାଲରେ ଦୀର୍ଘଦିନ ଧରି କୋମାରେ ପଡ଼ି ଚିକିତ୍ସିତ ହେଉଥିଲେ । ୬ ମାସ ଧରି କଟକ ଏସ୍ସିବି ମେଡିକାଲରେ କୋମା ଅବସ୍ଥାରେ ଚିକିତ୍ସିତ ହେବାପରେ ଜୁନ୍ ୨୧, ୨୦୧୨ରେ ଆଖିବୁଜିଥିଲେ ୧୯ ବର୍ଷୀୟା ପିପିଲି ଗଣବଳାତ୍କାର ପୀଡ଼ିତା ବେବିନା ବେହେରା । ବେବିନାଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ସୃଷ୍ଟି କରିଥିଲା ଚହଳ । ପିପିଲି ଥାନାର ତତ୍କାଳୀନ ଆଇଆଇସି ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଚାକିରୀରୁ ବହିଷ୍କାର କରାଯାଇଥିଲା । ପିପିଲି ଥାନା ପୋଲିସ ଏହି ଘଟଣାରେ ପ୍ରଥମ ମାମଲା ରୁଜୁ କରିବାକୁ ମନା କରିଦେବା ପରେ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହୋଇଥିଲା । ପରେ ଅବଶ୍ୟ ଅମୂଲ୍ୟ ଚମ୍ପତ୍ତିରାୟ ଏହା ବିରୋଧରେ ସ୍ୟାଟ୍ରେ ଆବେଦନ କରିଥିଲେ । ସ୍ୟାଟ୍ ଏବଂ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ପୁଣିଥରେ ଚାକିରୀରେ ଅବସ୍ଥାପିତ କରାଯାଇଥିଲା । ଏହି ମାମଲାର ତଦନ୍ତ ପାଇଁ ଜଷ୍ଟିସ ପିକେ ମହାନ୍ତି କମିଶନ ଗଠନ ହୋଇଥିବା ବେଳେ କମିଶନ ୨୦୧୬ ମାର୍ଚ୍ଚ ୩୦ରେ ୪୦୦ ପୃଷ୍ଠା ବିଶିଷ୍ଟ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ଏହି ରିପୋର୍ଟର ତଥ୍ୟକୁ ସାର୍ବଜନୀନ କରିବା ପାଇଁ ବିରୋଧୀ ଦଳ ଗୁଡ଼ିକ ପକ୍ଷରୁ ଦାବି କରାଯାଇଥିଲା ।