ଗାନ୍ଧୀନଗରରେ ବିଜେପିର କମାଲ : ୪୪ରୁ ୪୧ ସିଟ୍‌ରେ ଜିତିଲା ଦଳ, କଂଗ୍ରେସ ଓ ଆପ୍‌ ଚିତପଟାଙ୍ଗ

Published By : Prameya-News7 Bureau | October 05, 2021 IST

ଗାନ୍ଧୀନଗର ୦୫/୧୦ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ବଦଳିବା ପରେ ବିଜେପିର କ୍ରେଜ୍‌ କମିଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଛି । ସଦ୍ୟ ଅନୁଷ୍ଠିତ ନଗର ନିଗମ ନିର୍ବାଚନ​‌ରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । ମୋଟ ୪୪ଟି ସିଟ୍‌ ମଧ୍ୟରୁ ୪୧ଟି ସିଟ୍‌ ବିଜେପି କବ୍‌ଜା କରିନେଇଛି । କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟିକୁ ମାତ୍ର ୩ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡିଛି ।

ଗତ ରବିବାର ଦିନ ଗାନ୍ଧିନଗର ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ମଙ୍ଗଳବାର ସକାଳୁ ଭୋଟ ଗଣତି ହୋଇଥିଲା । ଗଣତି ଆରମ୍ଭରୁ ହିଁ ବିଜେପିର ପଲ୍ଲା ଭାରି ରହିଥିଲା । ଏହି ଫଳାଫଳ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟ୍‌କା ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି । ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେବାନେଇ ଦାବି କରୁଥିବା କଂଗ୍ରେସ ଚିତ୍‌ପଟାଙ୍ଗ ମାରିଛି ।

wp:html /wp:html

ଅନ୍ୟପଟେ ବିଜେପିକୁ ଟକ୍କର ଦେବାକୁ ସଜବାଜ ହେଉଥିବା ଆମ୍‌ ଆଦ୍‌ମୀ ପାର୍ଟି ମଧ୍ୟ ଡଙ୍କ ମୋଡି ପଡିଛି । ଗୁଜୁରାଟରେ ବିଧାନସଭା ନିର୍ବାଚନ ଲଢିବା ନେଇ ପୂର୍ବରୁ ଘୋଷଣା କରିସାରିଛି ଆପ୍‌ । ତେବେ ମ୍ୟୁନିସିପାଲିଟି ନିର୍ବାଚନରେ ଦଳ ଶୋଚନୀୟ ସ୍ଥିତିରେ ରହିଛି । ଆପ୍‌ ମାତ୍ର ଗୋଟିଏ ସିଟ୍‌ରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୨ଟି ସିଟ୍‌ ପାଇଛି । ବିଜେପି ଏବଂ କଂଗ୍ରେସ ସମସ୍ତ ୪୪ଟି ଓ୍ବାର୍ଡରେ ନିଜର ପ୍ରାର୍ଥୀ ଦେଇଥିଲେ । ଆମ୍‌ ଆଦମୀ ପାର୍ଟିୁ ମଧ୍ୟ ୪୦ଟି ସିଟ୍‌ରେ ପ୍ରାର୍ଥୀ ଦେଇଥିଲା । ଗାନ୍ଧୀନଗରରେ ଗତ ଥର ହୋଇଥିବା ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇଥିଲା କଂଗ୍ରେସ କିନ୍ତୁ ଏଥର ଦଳ ଚିତପଟାଙ୍ଗ ମାରିଛି ।

ଗତ ନିର୍ବାଚନରେ କଂଗ୍ରେସ ଏବଂ ବିଜେପି ଉଭୟଙ୍କୁ ଗାନ୍ଧୀନଗରରେ ୧୬ଟି ଲେଖାଏଁ ସିଟ୍‌ ମିଳିଥିଲା । କିନ୍ତୁ ଏଥର ଅମାନତ ହରାଇଛି କଂଗ୍ରେସ ପାର୍ଟି । କଂଗ୍ରେସ ସମେତ ଆପ୍‌ର ପ୍ରାର୍ଥୀଙ୍କୁ ମଧ୍ୟ ଶକ୍ତ ଝଟ୍‌କା ଲାଗିଛି । ଗୁଜୁରାଟରେ ଆମ୍‌ ଆଦ୍‌ମୀ ପାର୍ଟି ବିଜେପିର ପ୍ରମୁଖ ବିରୋଧୀ ବୋଲି ଧରିନିଆଯାଇଥିଲା ଯେତେବେଳେକି ସୁରଟରେ ଦଳ ଆଶାତୀତ ସଫଳତା ପାଇଥିଲା । ସୁରଟ ନଗର ନିଗମ ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇ ୨୭ଟି ସିଟ୍‌ ହାତେଇନେଇଥିଲା ଦଳ । ଏଥର ମଧ୍ୟ ଆପ୍‌ ଉପରେ ସମସ୍ତଙ୍କ ନଜର ରହିଥିଲା । କିନ୍ତୁ ଏଥର ବିଫଳ ହୋଇଛି ଦଳ । ଗାନ୍ଧୀନଗରକୁ ବିଜେପିର ଗଡ ବୋଲି କୁହାଯାଏ । ଲାଲକୃଷ୍ଣ ଆଡବାଣୀଙ୍କ ଠାରୁ ଆରମ୍ଭ କରି ଏବେ ଅମିତ ଶାହାଙ୍କ ଯାଏଁ ଏହି ଆସନରୁ ଲଢି ବିଜୟୀ ହୋଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.