ମୋଦୀ ସରକାର ସହ ରହିଛନ୍ତି ଦେଶବାସୀ : ଏବେ ନିର୍ବାଚନ ହେଲେ ଏନଡିଏ ପାଇବ ୩୨୧ ଆସନ, ନିଜ ଦମ୍‌ରେ ସରକାର ଗଠନ କରିପାରିବ ବିଜେପି

Published By : Prameya-News7 Bureau | January 22, 2021 IST

ନୂଆଦିଲ୍ଲୀ,୨୨/୦୧:  ୨୦୨୦ କେନ୍ଦ୍ରରେ କ୍ଷମତାଶୀନ ନରେନ୍ଦ୍ର ମୋଦୀଙ୍କ ସରକାର ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ଗୋଟିଏ ଦିଗରେ କରୋନା ଭାଇରସର ପ୍ରକୋପ ଓ ଅନ୍ୟଦିଗରେ ସୀମାରେ ଚୀନ ସହ ଉତ୍ତେଜନା ଆଦି ପ୍ରସଙ୍ଗରେ ସରକାର ବ୍ୟାକଫୁଟରେ ରହିଥିଲେ । ସେହିପରି ୨୦୨୦ ଆରମ୍ଭରେ ସିଏଏ ବିରୋଧରେ ବିରୋଧ ପ୍ରଦର୍ଶନ ହେବା ସହ ଏବେ କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି ।

ଏହି ସ୍ଥିତିକୁ ଦେଖିଲେ ଯେକୌଣସି ସରକାରର ଛବି ମଳୀନ ପଡିବା ଏକ ପ୍ରକାର ସ୍ପଷ୍ଟ । ଏପରିକି ଲୋକପ୍ରିୟତା ମଧ୍ୟ ହ୍ରାସ ପାଇବା ନିଶ୍ଚିତ । କିନ୍ତୁ ଭାରତୀୟ ଜନତା ପାର୍ଟି କିମ୍ବା ମୋଦୀ ସରକାର ଉପରେ ଏହାର କିଛି ପ୍ରତିଫଳନ ଦେଖିବାକୁ ମିଳିନାହିଁ । ଇଣ୍ଡିଆ ଟୁଡେ-କାର୍ବି ଇନସାଇଟସ୍ ମୁଡ୍ ଅଫ୍ ଦି ନେସନ ସର୍ଭେରେ ଏନେଉ ତଥ୍ୟ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଏବେବି ଅତୁଟ ରହିଛି । ଜନତା ମଧ୍ୟ ସରକାରଙ୍କ ସହ ରହିଥିବା ସୂଚନା ମିଳିଛି ।

ସର୍ଭେରେ ଜଣାପଡିଛି ଯେ, ଯଦି ଆଜି ନିର୍ବାଚନ ହୁଏ ତେବେ ଏନଡିଏକୁ ୩୨୧ଟି ଆସନ ମିଳିପାରେ । ୨୦୨୦ର ସର୍ଭେ ତୁଶନାରେ ବିଜେପିକୁ ୫ଟି ସିଟର ଫାଇଦା ମିଳିଛି । କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ମିଳିଥିବା ୩୫୩ଟି ଆସନରୁ ଏହା କମ୍ । ଅନ୍ୟପଟେ ୟୁପିଏକୁ ୯୩ଟି ଆସନ ମିଳିପାରେ ।

ସର୍ଭେରେ ଆହୁରି ମଧ୍ୟ କୁହାଯାଇଛି ଯେ, ୫୪୩ଟି ଲୋକସବା ଆସନ ମଧ୍ୟରୁ ବିଜେପି ଖାତାକୁ ୨୯୧ଟି ସିଟ୍ ଯାଇପାରେ । ଅର୍ଥାତ ବିଜେପି ନିଜ ଦମରେ ସରକାର ଗଠନ କରିପାରିବ । ଦଳ ୩୭ ପ୍ରତିଶତ ଭୋଟ୍ ପାଇବ । ସେହିପରି କଂଗ୍ରେସ ୧୯ ପ୍ରତିଶତ ଭୋଟ୍ ସହ ୫୧ଟି ସିଟ୍ ହାସଲ କରିବ ।

ଏତତ୍ ବ୍ୟତୀତ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ୟୁପିଏ ୨୭ ପ୍ରତିଶତ ଭୋଟ ପାଇ ୯୩ଟି ଆସନ ପାଇବ । ଯାହା ୨୦୧୯ ସାଧାରଣ ନିର୍ବାଚନ ଅପେକ୍ଷା ୨ଟି ସିଟ୍ ଅଧିକ । କଂଗ୍ରେସକୁ ୨୦୧୯ ଲୋକସଭା ନିର୍ବାଚନରେ ୫୨ଟି ଆସନ ମିଳିଥିଲା । ଓ ୟୁପିଏ ଖାତାକୁ ୯୧ଟି ଆଶନ ଯାଇଥିଲା । ସେହିପରି ଅନ୍ୟ ଦଳକୁ ୩୦ ପ୍ରତିଶତ ଭୋଟ ସହ ୧୨୯ ଆସନ ମିଳିପାରେ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.