ଆସାମରେ ୯୨ଟି ଆସନରେ ଲଢିବ ବିଜେପି, ସହଯୋଗୀଙ୍କୁ ଛାଡିବ ୩୪ ସିଟ୍ !

Published By : Prameya-News7 Bureau | March 05, 2021 IST

ନୂଆଦିଲ୍ଲୀ, ୦୫|୦୩:  ଆସାମ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଏବଂ ସହଯୋଗୀ ଦଳ ଆସାମ ଗଣ ପରିଷଦ ବା ଏଜିପି ଓ ୟୁନାଇଟେଡ୍ ପିପୁଲ୍ସ ଲିବରାଲ ବା ୟୁପିପିଏଲ ମଧ୍ୟରେ ଆସନ ବୁଝାବଣାକୁ ନେଇ ସହମତି ପ୍ରକାଶ ପାଇଛି ।  ଏଜିପି ୨୬, ୟୁପିପିଏଲ ୮ଟି ଆସନରେ ନିର୍ବାଚନ ଲଢିପାରନ୍ତି । ଅନ୍ୟ ସବୁ ଆସନରେ ବିଜେପି ପ୍ରାର୍ଥୀ ଦେବ ।

ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘରେ ଆସନ ବୁଝାବଣାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେପି ନେତା ଓ ସରକାରରେ ମନ୍ତ୍ରୀ ଥିବା ହେମନ୍ତ ବିଶ୍ୱ ଶର୍ମା, ଆସାମ ଗଣ ପରିଷଦ ଏବଂ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଆସାମର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ସର୍ବାନନ୍ଦ ସୋନୋଓ୍ୱାଲ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ । କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ମଧ୍ୟ ବୁଧବାର ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଯେଉଁଥିରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ, ରାଜ୍ୟ ବିଜେପି ସଭାପତି ରଞ୍ଜିତ ଦାସ, ଏଜିପି ଅଧ୍ୟକ୍ଷ ଅତୁଲ ବୋରା, ୟୁପିପିଏଲ ମୁଖ୍ୟ ପ୍ରମୋଦ ବୋରୋ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ଆସାମ ବିଧାନସଭାରେ ୧୨୬ଟି ଆସନ ରହିଛି । ରାଜ୍ୟରେ ମାର୍ଚ୍ଚ ୨୭ରୁ ୬ ଏପ୍ରିଲ ଯାଏଁ ତିନୋଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୪୭ଟି, ଦ୍ୱିତୀୟରେ ୩୯ ଓ ତୃତୀୟରେ ୪୦ଟି ଆସନରେ ଭୋଟଗ୍ରହଣ ହେବ ।

ତେବେ ୨୦୧୬ ବିଧାନସଭା ନିର୍ବାଚନରେ ବିଜେପି ୬୦ଟି ଆସନରେ ବିଜୟୀ ହୋଇଥିଲା । ବିପିଏଫ ବିଜେପି ଓ ଏଜିପି ସହ ମିଶି ନିର୍ବାଚନ ଲଢିଥିଲା । ଏହାସହ ୧୨ଟି ଆସନରେ ବିଜୟୀ ହୋଇତିଲା । ଚଳିତ ଥର ପିପିଏଫ କଂଗ୍ରେସ ଓ ଏଆଇୟୁଡିଏଫ ସହ ନିର୍ବାଚନ ଲଢୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.