ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ଵରେ ୨୦୨୨ ନିର୍ବାଚନ ଲଢିବ ବିଜେପି, ହେବନି କ୍ୟାବିନେଟ୍ ସଂପ୍ରସାରଣ

Published By : Prameya-News7 Bureau | June 06, 2021 IST

ଲକ୍ଷ୍ନୌ ୦୬।୦୬: ଉତ୍ତର ପ୍ରଦେଶର ରାଜନୀତିକୁ ନେଇ ଆସିଛି ବଡ ଖବର। ଉତ୍ତର ପ୍ରଦେଶ ମନ୍ତ୍ରିମଣ୍ଡଳ ବିସ୍ତାର ନେଇ ଚାଲିଥିବା କଳ୍ପନା ଜଳ୍ପନା ଉପରେ ବିରାମ ଲାଗିଛି। ଯୋଗୀ କ୍ୟାବିନେଟ୍‌ରେ ଏବେ କୌଣସି ସଂପ୍ରସାରଣ ହେବ ନାହିଁ। ୨୦୨୨ ନିର୍ବାଚନ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ଵରେ ଲଢାଯିବ। ଏନେଇ ବିଧାୟକଙ୍କ ରିପୋର୍ଟ କାର୍ଡ ମଧ୍ୟ ପ୍ରସ୍ତୁତ। ପ୍ରଦର୍ଶନ ଆଧାରରେ ବିଧାୟକଙ୍କୁ ଟିକେଟ୍‌କୁ ଦିଆଯିବ। ସଂଗଠନ ସହମତି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଅନ୍ତିମ ମୋହର ବାଜିବା ପରେ ହିଁ ବିଜେପି ବିଧାୟକଙ୍କୁ ଟିକେଟ୍ ଦିଆଯିବ।

ଏହା ପୂର୍ବରୁ ଆଜି ରାଜ୍ୟ ପ୍ରଭାରୀ ରାଧାମୋହନ ସିଂହ ଏବଂ ରାଜ୍ୟପାଳଙ୍କ ସାକ୍ଷାତକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିଲା। ଯୋଗୀ ମନ୍ତ୍ରିମଣ୍ଡଳର ବିସ୍ତାର ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ରାଧାମୋହନ ସିଂହ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଅଧା ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା।

ରାଜ୍ୟପାଳଙ୍କୁ ଭେଟିବା ପୂର୍ବରୁ ରାଧାମୋହନ ସିଂହ ମନ୍ତ୍ରିମଣ୍ଡଳ ଅଦଳବଦଳ ଖବରକୁ ଖାରଜ କରିଥିଲେ। ଉଲ୍ଲେଖଯୋଗ୍ୟ, ଛଅ ମାସ ପରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ  ହେବାକୁ ଯାଉଛି। ତେଣୁ ଯୋଗୀ କ୍ୟାବିନେଟ୍ ବିସ୍ତାର ହେବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଏପରିକି ଆଗାମୀ ନିର୍ବାଚନ ଯୋଗୀଙ୍କ ନେତୃତ୍ଵରେ ଲଢାଯିବ ନାହିଁ ବୋଲି କୁହାଯାଉଥିଲା। ଏସବୁ ଉପରେ ଏବେ ବିରାମ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.