ମେକ ଇନ୍ ଓଡିଶାରେ ଯୋଗ ଦେବେ ୮ଶହ ପ୍ରତିନିଧି, କାହିଁକି ଡକାଯାଇନି କେନ୍ଦ୍ରମନ୍ତ୍ରୀଙ୍କୁ : ବିଜେଡି-ବିଜେପି କାଦୁଅ ଫିଙ୍ଗା ଫିଙ୍ଗି

Published By : Prameya-News7 Bureau | November 09, 2018 IST

ଭୁବନେଶ୍ବର ୯|୧୧: ମେକ ଇନ୍ ଓଡିଶାକୁ ନେଇ ବିଜେଡି ବି​‌ଜେପି ଭିତରେ ବାକ ଯୁଦ୍ଧ ଛିଡୁନି । ନୂଆ ନୂଆ ତଥ୍ୟ ସମ୍ନାକୁ ଆଣି ବି​‌ଜେପି ଘେରୁଛି ରାଜ୍ୟସରକାରଙ୍କୁ । ସେପଟେ ମେକଇନ୍ ଓଡିଶା କାର୍ଯ୍ୟକ୍ରମକୁ ବଡ ଆକାରରରେ ଆୟୋଜନ କରିବାକୁ ପୁରା ଦମ ଲାଗାଇଛନ୍ତି ରାଜ୍ୟସରକାର । ମେକ ଇନ୍ ଓଡିଶା କାର୍ଯ୍ୟକ୍ରମକୁ କେନ୍ଦ୍ର ମନ୍ତ୍ରୀମାନଙ୍କୁ ନ ଡାକିବା  ଏବଂ କେନ୍ଦ୍ର ଅର୍ଥ ବିନିଯୋଗ ନକରିବା ପ୍ରସଙ୍ଗ ଉଠାଇ ଏହି କାର୍ଯ୍ୟକ୍ରମକୁ ପାଣିଚିଆ କରିବା ଯୋଜନାରେ ଅଛି ବିଜେପି । ଏହାକୁ ନେଇ ବିଜେଡି ଓ ବିଜେପି ଭିତରେ ଚାଲିଛି କାଦୁଅ ଫିଙ୍ଗା… ମେକ ଇନ୍ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେବେ ୮ଶହ ପ୍ରତିନିଧି। କିନ୍ତୁ କାହିଁକି କେନ୍ଦ୍ରର ମନ୍ତ୍ରୀଙ୍କୁ ଡକାଯାଉନାହିଁ ବୋଲି ପ୍ରଶ୍ନ କରିଛି ବିଜେପି ।  ଓଡିଶାର ବିଭିନ୍ନ ପ୍ରକଳ୍ପରେ ବିତନିଯୋଗ ହେଉଥିବାବେଳେ କାହିଁକି କେନ୍ଦ୍ର ମନ୍ତ୍ରୀ ମାନଙ୍କୁ  ଡକାଯାଇନି ବୋଲି ବିଜେପି ପ୍ରଶ୍ନ କରିଛି। ଦଳ ପ୍ରଭାରୀ ଅରୁଣ ସିଂ କହିଛନ୍ତି ଛୋଟ ମନରେ କେହି ବଡ ହୋଇପାରିବେ ନାହିଁ। ବିଜେପି ରେଳ ପ୍ରକଳ୍ପର ଉଦାହରଣ ଦେଇଛି । ଗତ ପାଞ୍ଚ ବର୍ଷରେ ରେଳ ବିକାଶ ପାଇଁ ୨୦ ହଜାର କୋଟି ଟଙ୍କାରୁ ଅଧିକ ମିଳିଛି, କିନ୍ତୁ ଅଧା ଖର୍ଚ୍ଚ ହିଁ ହୋଇପାରିନି। ଖୋର୍ଦ୍ଧା –ବଲାଙ୍ଗୀର ରେଳ ପ୍ରକଳ୍ପରେ ୩୭୯୧ କୋଟି , ତାଳଚେର ବିମଳାଗଡରେ ୧୯୨୮ କୋଟି, ପରାଦୀପ-ହରିଦାଶପୁର ପାଇଁ ୧୮୪୪କୋଟି, ଅନୁଗୁଳ-ସୁକିନ୍ଦା ପ୍ରକଳ୍ପ ପାଇଁ ୧୨୦୩ କୋଟି ଟଙ୍କା ଖର୍ଚ୍ଚ ହୋଇନାହିଁ । ଏହା ହେଉଛି ପୁଞ୍ଜି ନିବେଶର ବାସ୍ତବ ଚିତ୍ର ବୋଲି ବିଜେପି କହିଛି। ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ବିଜେପି ପ୍ରଶ୍ନର ଜବାବ ରଖିଛନ୍ତି। ସେହିଭଳି ଏମସିଏଲର ଅବ୍ୟବହୃତ ଜମିକୁ କୃଷକମାନଙ୍କୁ ଫେରାଇଦେବାକୁ କେନ୍ଦ୍ର କୋଇଲାମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଥିଲେ ନବୀନ ।  ଏହାର ଜବାବରେ ବିଜେପି ପକ୍ଷରୁ ଏକ ଖୋଲା ଚିଠି ଦିଆଯାଇଛି ମୁଖ୍ୟମନ୍ତ୍ରୀଙ୍କୁ । ବିଜେପିର ଅଭିଯୋଗ ବିଭିନ୍ନ ପ୍ରାଇଭେଟ କମ୍ପାନୀକୁ ପବ୍ଲିକ ପ୍ରପୋଜ କ୍ଲଜ ଅନୁଯାୟୀ ୧୪,୨୯୬ ଏକର ଚାଷ ଜମି ଦିଆଯାଇଛି । ସେହିଭଳି ଏମରଜେନସି ପ୍ରୋଭିଜନରେ ୭୦୨୫ଏକର ଚାଷଜମି ଦିଆଯାଇଛି। କିନ୍ତୁ ତାହା ବ୍ୟବହାର ନହୋଇ ପଡି ରହିଛି।  ସେ ସବୁ ଜମିକୁ କାହିଁକି ରାଜ୍ୟ ସରକାର କୃଷକମାନଙ୍କୁ ଫେରାଇ ଦେଉ ନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । ଏମଜିଏମ, ମନେଟ ପାଓ୍ବାର ଓ ଷ୍ଟିଲକୁ  ୧୨ ୦୦ଏକର ଅଧିକା ଚାଷ ଜମି ହସ୍ତାନ୍ତର କରାଯାଇଛି। ରେମୁଣାରେ ୧୧ଶହ ଏକର ଜମି ଇଣ୍ତଷ୍ଟ୍ରିଆଲ ପାର୍କ ପାଇଁ ଶୁଭ ଦେଇଥିଲେ ସରକାର । ସେଠି ମଧ୍ୟ ପ୍ରକଳ୍ପ ଆରମ୍ଭ ହୋଇନି । ରାଜ୍ୟରେ କେତେ ଜମି ଅବ୍ୟବହୃତ ହୋଇ ପଡିଛି ତା ଉପରେ ଶ୍ବେତପତ୍ର ଜାରି କରିବାକୁ ବିଜେପି ଦାବି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.