ମେକ୍ ଇନ୍ ଓଡିଶାକୁ ନେଇ ବିଜେପି ବିଜେଡି ମୁହାଁ ମୁହିଁ: ଦିଲ୍ଲୀ ରୋଡ ସୋ’ କୁ ସମାଲୋଚନା

Published By : Prameya-News7 Bureau | September 11, 2018 IST

ଭୁବନେଶ୍ବର ୧୧|୯: ପୁଂଜି ବିନିଯୋଗ ପାଇଁ ଏବେ ପ୍ରତିଯୋଗିତା ଚାଲିଥିବା ବେଳେ ଦୋଷାରୋପ ମଧ୍ୟ ସମାନ୍ତରଳ ଢଙ୍ଗରେ ଚାଲିଛି। ପୁଂଜି ବିନିଯୋଗ ପାଇଁ ନୂଆଦିଲ୍ଲୀରେ ହେବାକୁ ଥିବା ରୋଡ ସୋରେ ଭାଗ ନେବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏତିକିବେଳେ କେନ୍ଦ୍ର ଅନୁମୋଦନ କରିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସଂପର୍କିତ ପ୍ରକଳ୍ପଗୁଡ଼ିକୁ ରାଜ୍ୟ ସରକାର ଅନୁମୋଦନ ଦେଉନଥିବା ଅଭିଯୋଗ କରିଛି ବିଜେପି। ଯାହାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି। ଓଡିଶାରେ ପୁଂଜି ନିବେଶ ପାଇଁ ଦିଲ୍ଲୀରେ ରୋଡ ସୋ କରିବେ ରାଜ୍ୟ ସରକାର। ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଲିଠାରୁ ଆରମ୍ଭ ହେବାକୁ ଥିବା ଏହି ରୋଡ ସୋ ପାଇଁ ଆଜି ନବୀନ ଦିଲ୍ଲୀ ଗସ୍ତ କରିଛନ୍ତି । ନଭେମ୍ବର ୧୧ ରୁ ୧୫ ଭୁବନେଶ୍ବରରେ ହେବ ମେକ୍ ଇନ୍ ଓଡିଶା କନକ୍ଲେଭ୍ । ଏଥିପାଇଁ ବିଭିନ୍ନ ସ୍ଥାନରେ ରୋଡ ସୋ କରୁଛି ଶିଳ୍ପ ବିଭାଗ । ମୁମ୍ବାଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ନବୀନ । ସେଠାରେ ମୁକେଶ ଅମ୍ବାନୀ, ଆନନ୍ଦ ମହିନ୍ଦ୍ରା, ଆଦି ଗୋଦରେଜ୍, ଦୀପକ ମେହେଟା ଆଦି ବଡବଡ ହସ୍ତୀଙ୍କ ସହ କଥାହୋଇଥିଲେ। ଓଡିଶାରେ ପୁଞ୍ଜି ନିବେଶ କରିବାକୁ ହୋଇଥିଲା ଆଲୋଚନା । ଦିଲ୍ଲୀରେ ମଧ୍ୟ ସେଭଳି କିଛି କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଏଇମାସ ଶେଷ ସପ୍ତାହରେ ଚେନ୍ନାଇରେ ବି ରୋଡ୍ ସୋ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ବିଶେଷକରି ପ୍ଲାଷ୍ଟିକ, ବୟନଶିଳ୍ପ, ଫୁଡ୍ ପ୍ରୋସେସିଙ୍ଗ, ମାନୁଫ୍ୟାକ୍ଚରିଙ୍ଗ ଆଦି ଶିଳ୍ପରେ ପୁଞ୍ଜି ନିବେଶ ଆକୃଷ୍ଟ କରିବାକୁ ଏଭଳି ଆୟୋଜନ ହେଉଛି । ସେପଟେ ନବୀନଙ୍କ ମେକ୍ ଇନ୍ ଓଡିଶା ପାଇଁ ରୋଡ ସୋ କେବଳ ଆତ୍ମ ପ୍ରଚାର କହିଛି ବିଜେପି । ଆଜି ପ୍ରଶ୍ନକାଳ ଆରମ୍ଭରୁ ଏହି ପ୍ରସଙ୍ଗ ଉଠାଇ ବିଜେପି ଅଭିଯୋଗ କରିଛି, କେନ୍ଦ୍ର ଯୋଜନାରେ ଆସୁଥିବା ଅର୍ଥକୁ ଖର୍ଚ୍ଚନକରି ପକାଇ ରଖାଯାଇଛି । ଏନଟିପିସି ସଂପ୍ରସାରଣ ପାଇଁ ୯ହଜାର ୭୫୦ କୋଟି ଏବଂ ଜାତୀୟ ରାଜପଥ ପାଇଁ ୧୨ ହଜାର ୮୬୮ କୋଟି ଟଙ୍କା କେନ୍ଦ୍ର ମଞ୍ଜୁରୀ କରିଥିଲେ ବି ଏଯାଏ କାମ ଆରମ୍ଭ ହୋଇନି । ଏପରିକି ଜମି ଅଧିଗ୍ରଣ ବି କରନାହାଁନ୍ତି ରାଜ୍ୟ ସରକାର । ତେଣୁ ମେକ୍ ଇନ୍ ଓଡିଶା ନାଁରେ କେବଳ ଆତ୍ମ ପ୍ରଚାର କରି ଓଡିଶାର ରାଜସ୍ବ ସ୍ବାହା କରୁଛନ୍ତି ନବୀନ ବୋଲି ବିଜେପି ଅଭିଯୋଗ ଆଣିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସହ ସଂଶ୍ଳିଷ୍ଟ ପ୍ରକଳ୍ପଗୁଡ଼ିକୁ ଆବଶ୍ୟକ ଅନୁମତି ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି । ଯାହାକୁ ଖଣ୍ଡନ କରିଛି ବିଜେଡି । ମେକ୍ ଇନ୍ ଓଡିଶା କନକ୍ଲେଭ୍ କୁ ସଫଳ କରିବା ଏବଂ ଓଡିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବାକୁ ଚୀନ, ଜାପାନ, ଦକ୍ଷିଣ କୋରିଆ ଆଦି ଦେଶରେ ବି ରୋଡ୍ ସୋ ଆୟୋଜନ କରିସାରିଛି ଶିଳ୍ପ ବିଭାଗ । ଏଥର ବି ଅଧିକ ପୁଞ୍ଜି ଆକୃଷ୍ଟ ପାଇଁ ପ୍ରୟାସ କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.