ବିଜେପିକୁ ବଡ଼ ଝଟକା : ମହେନ୍ଦ୍ରନାଥ ପାଣ୍ଡେଙ୍କ ବୋହୂ ସାମିଲ ହେବେ କଂଗ୍ରେସରେ

Published By : Prameya-News7 Bureau | March 19, 2019 IST

ଲକ୍ଷ୍ନୈା ୧୯/୩: ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶରେ ପାଦ ରଖିବା ପରେ ଲଗାତାରଭାବେ ବିରୋଧୀ ଦଳର ନେତା କଂଗ୍ରେସରେ ଯୋଗ ଦେଉଛନ୍ତି। ଲୋକସଭା ନିର୍ବାଚନ ଚାଲିଥିବାବେଳେ ଉତ୍ତରପ୍ରଦେଶ ବିଜେପିକୁ ବଡ଼ ଝଟକା ଲାଗିଛି। ବିଜେପି ଅଧ୍ୟକ୍ଷ ମହେନ୍ଦ୍ରନାଥ ପାଣ୍ଡେଙ୍କ ବୋହୂ ଅମୃତା ପାଣ୍ଡେ ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ ଗତ ବୁଧବାର କଂଗ୍ରେସରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଉତ୍ତରପ୍ରଦେଶର ବିଜେପି ଅଧ୍ୟକ୍ଷ ମହେନ୍ଦ୍ରନାଥ ପାଣ୍ଡେଙ୍କ ଭାଇ ଜିତେନ୍ଦ୍ରନାଥ ପାଣ୍ଡେଙ୍କ ବୋହୂ ଅମୃତା ପାଣ୍ଡେ କଂଗ୍ରେସରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସରେ ଯୋଗ ଦେବା ପ୍ରସଙ୍ଗରେ ସେ କହିଛନ୍ତି ଯେ ‘ଗାନ୍ଧୀ ପରିବାର ଏବଂ କଂଗ୍ରେସ୍ ପାର୍ଟି ସହ ତାଙ୍କର ପୁରୁଣା ସମ୍ପର୍କ ରହିଛି। ଏବେ  ଯେତେବେଳେ ପ୍ରିୟଙ୍କା ଗାନ୍ଧୀ ରାଜନୀତିରେ ପ୍ରବେଶ କରିଛନ୍ତି ସେଥିପାଇଁ ମୁଁ ମଧ୍ୟ କଂଗ୍ରେସରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି’। ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଆସନ୍ତା ସମୟ ନରେନ୍ଦ୍ର ମୋଦିଙ୍କର ନୁହେଁ ବରଂ କଂଗ୍ରେସର।  ଆସନ୍ତା ରାଜନୈତିକ ଭବିଷ୍ୟତ କଂଗ୍ରେସର। ଏଥିପାଇଁ ମୁଁ କଂଗ୍ରେସ୍ ସହ ଯିବାକୁ ପଦକ୍ଷେପ ନେଇଛି।’

ବାସ୍ତବରେ ଅମୃତାଙ୍କ ଶାଶୁଘର ବିଜେପିର ରାଜନୈତିକ ବିଚାରଧାରା ସହ ଜଡ଼ିତ ଥିଲେ ମଧ୍ୟ ତାଙ୍କ ବାପଘର କଂଗ୍ରେସ୍ ସହ ଜଡ଼ିତ। ସେ ନିଜର ଘରକୁ ବାହୁଡ଼ିଛନ୍ତି। ଅମୃତା କୁହନ୍ତି ବିଜେପି କେବଳ ବ୍ରାହ୍ମଣ ନୁହେଁ ବରଂ ସମାଜର ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ ଠକିଛି। ଯୁବକ,ବ୍ୟବସାୟୀ ଏବଂ ଚାଷୀ ସମସ୍ତେ ସମସ୍ୟାରେ ଅଛନ୍ତି।

ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ଅମୃତା କହିଛନ୍ତି ଯେ ‘କଂଗ୍ରେସ ପାର୍ଟି ଯାହା ନିଷ୍ପତ୍ତି ନେବ, ତାହା ମୁଁ ସ୍ବୀକାର କରିବି। କିନ୍ତୁ ବର୍ତ୍ତମାନ ପ୍ରିୟଙ୍କା ଗାନ୍ଧୀଙ୍କ ସହ ମିଶି କାମ କରିବା ମୋର ଉଦ୍ଦେଶ୍ୟ। କଂଗ୍ରେସ ପାର୍ଟି ଏବଂ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲାପତି ତ୍ରିପାଠୀଙ୍କ ସହ ମୋର ପୁରୁଣା ସମ୍ପର୍କ ରହିଛି’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.