Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଶ୍ଚିମବଙ୍ଗରେ ସ୍ଥିତି ଅଣାୟତ ; ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସା ଦିନକୁ ଦିନ ନେଉଛି ଉଗ୍ର ରୂପ

କୋଲକତା ୧୧|୬: ପଶ୍ଚିମବଙ୍ଗରେ ସ୍ଥିତି ଅଣାୟତ । ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି । ଶାସକ ତୃଣମୂଳ କଂଗ୍ରେସ  ଏବଂ ବିରୋଧୀ ବିଜେପି ମଧ୍ୟରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ । ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ସଂଘର୍ଷ ଓ ଗୁଳିମାଡ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଛି । ହିଂସାକାଣ୍ଡ ଯୋଗୁଁ  ବିଜେପିର ୫ ଓ ଟିଏମସିର ୩ ଜଣ କର୍ମକର୍ତ୍ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡିପଡିଥିବା ଅଭିଯୋଗରେ ରାସ୍ତାକୁ ଓହ୍ଲାଇଛି ବିଜେପି । ପ୍ରତିବାଦରେ ବିଜେପି କଳା ଦିବସ ପାଳନ କରିବା ସହ ସାରା ରାଜ୍ୟରେ ୧୨ଘଣ୍ଟିଆ ବନ୍ଦ ପାଳନ କରିଛି । ଅନେକ ସ୍ଥାନରେ ବିଜେପି କର୍ମୀମାନେ ରାସ୍ତା ଓ ରେଳ ରୋକ ଯୋଗୁଁ ଯାନବାହନ ଓ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି । ରାଜ୍ୟରେ କ୍ରମାଗତ ହିଂସା ବ୍ୟାପିବା ପଛରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାୟୀ ବୋଲି ଦଳ ଅଭିଯୋଗ କରିଛି । ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତି ହିଂସାକୁ ନେଇ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି ।

ମମତା ସରକାରଙ୍କୁ ଆଡଭାଇଜରୀ କରିଛି ଗୃହମନ୍ତ୍ରୀଣାଳୟ । ପଶ୍ଚିମବଙ୍ଗ ସ୍ଥିତି ନେଇ ଦିଲ୍ଲୀରେ ଗୃହମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକ ହୋଇଛି । ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସ୍ଥିତି ନେଇ ଅବଗତ କରାଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ସେପଟେ ମମତା ଗୃହ ମନ୍ତ୍ରାଳୟକୁ ଚିଠି ଲେଖି କଡା ଜବାବ ଦେଇଛନ୍ତି । ପଶ୍ଚିମବଙ୍ଗରେ ପରିସ୍ଥିତି ଠିକ୍ ଥିବା କହିଛନ୍ତି ।

   Related Posts