ଦିଦିଙ୍କ ଭାଗ୍ୟ ପରୀକ୍ଷା : ଭବାନୀପୁରରେ ଚାଲିବ କି ମମତାଙ୍କ ଯାଦୁ ? ନା ବାଜି ମାରିନେବ ବିଜେପି ?

Published By : Prameya-News7 Bureau | October 03, 2021 IST

କୋଲକାତା, ୦୩|୧୦:  ଭବାନୀପୁରରେ ଦିଦିଙ୍କ ଭାଗ୍ୟ ପରୀକ୍ଷା । ପଶ୍ଚିମବଙ୍ଗର ଏହି ଆସନରେ ଲାଗିଛି ଦିଦିଙ୍କ ସମ୍ମାନ । କାରଣ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ଦିଦିଙ୍କୁ ଭବାନୀପୁର ହାତେଇବାକୁ ପଡ଼ିବ ।

ଏଠି ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରୱାଲଙ୍କ ସହ ମମତାଙ୍କ ହୋଇଛି ଫାଇଟ୍ । କିଛି ସମୟ ପରେ ଏଠାରେ ଆରମ୍ଭ ହୋଇଯିବ ଭୋଟ ଗଣତି । ଗତ ୩୦ ତାରିଖରେ ଏଠାରେ ମତଦାନ ହୋଇଥିଲା । ଉଭୟ ବିଜେପି ଏବଂ ଟିଏମସି ଭବାନୀପୁର ବିଜୟ ଦାବି କରୁଛନ୍ତି । ତେବେ ମମତା ବାନାର୍ଜୀ ୫୦ ହଜାର ଭୋଟରେ ଜିତିବେ ବୋଲି ତୃଣମୂଳ କଂଗ୍ରେସ ଦାବି କରିଛି । ଅନ୍ୟପକ୍ଷରେ ବିଜେପି ମଧ୍ୟ ମମତାଙ୍କୁ ହରାଇବା କଥା କହିଛି ।

ବିଜେପି ପ୍ରାର୍ଥୀ ହେଉଛନ୍ତି ପ୍ରିୟଙ୍କା ଟେବରୱାଲ । ସେ ୨୦୧୪ ମସିହାରେ ବିଜେପିରେ ଯୋଗଦେଇଥିଲେ।  ଏହା ପୂର୍ବରୁ ସେ ବାବୁଲ ସୁପ୍ରିଓଙ୍କ ଆଇନ ପରାମର୍ଶଦାତ୍ରୀ ଥିଲେ। ବାବୁଲ ହିଁ ତାଙ୍କୁ ବିଜେପିରେ ପ୍ରତ୍ୟକ୍ଷ ରାଜନୀତିକୁ ଆଣିଥିଲେ। ତାଙ୍କ ସୁପାରିଶରେ ୨୦୧୫ କୋଲକାତା ପାଳିକା ନିର୍ବାଚନରେ ପ୍ରାର୍ଥୀ ମଧ୍ୟ ହୋଇଥିଲେ। ତେବେ ୱାର୍ଡନମ୍ବର ୫୮ରେ ସେ ତୃଣମୂଳ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ହାରି ଯାଇଥିଲେ।

୧୯୮୧ ମସିହା ଜୁଲାଇ ୭ରେ ଜନ୍ମିତା ପ୍ରିୟଙ୍କା ସ୍କୁଲ ଶିକ୍ଷା କୋଲକାତାର ଗଲସ୍ମିଥ ସ୍କୁଲରେ ହୋଇଥିଲା। ପରେ ଦିଲ୍ଲୀରୁ ସ୍ନାତକ ଶିକ୍ଷା ଶେଷ କରିବା ପରେ ହଜାରା ଆଇନ ମହାବିଦ୍ୟାଳୟରେ ଶିକ୍ଷାଗ୍ରହଣ କରିଥିଲେ। ସେ ଥାଇଲ୍ୟାଣ୍ଡର ଏକ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାନବସମ୍ବଳରେ ଏମବିଏ ଡିଗ୍ରି ମଧ୍ୟ ହାସଲ କରିଛନ୍ତି। ଗତ ୨୦୨୦ ମସିହାରେ ସେ ପଶ୍ଚିମବଙ୍ଗ ଭାରତୀୟ ଜନତା ଯୁବମୋର୍ଚ୍ଚା (ବିଜେୱାଇଏମ)ରେ ଉପାଧ୍ୟକ୍ଷା ରହିଥିଲେ।ତେବେ ସେ ବିଜେପି ଟିକେଟରେ ଏଣ୍ଟଲୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱୀତା କରି ନିକଟତମ ତୃଣମୂଳ ପ୍ରାର୍ଥୀଙ୍କ ଠାରୁ ୫୮ ହଜାରରୁ ବି ଅଧିକ ଭୋଟରେ ପରାସ୍ତ ହୋଇଥିଲେ। ସେ ଏବେ ବିଜେପିର ଜାତୀୟ ମୁଖପାତ୍ର ଥିବା ବେଳେ ପାର୍ଟି ପୁଣି ଥରେ ତାଙ୍କୁ ମମତାଙ୍କ ବିରୋଧରେ ଭବାନୀପୁରରୁ ପ୍ରାର୍ଥୀ କରିଛି।

ସେହିପରି ମମତା ଜଣେ ଅପରାଜେୟ ନେତ୍ରୀ। ଏହା ବିଜେପି ଗତ ବିଧାନସଭା ନିର୍ବାଚନରେ ଅଙ୍ଗେ ଅଙ୍ଗେ ଅନୁଭବ ମଧ୍ୟ କରିଛି। ଲୋକଙ୍କ ଭଲପାଇବା ତାଙ୍କ ପାଖରେ ରହିଥିବା ସେ ଦାବି କରନ୍ତି । ନନ୍ଦିଗ୍ରାମରୁ ହାରିଥିଲେ ବି ଭବାନୀପୁର ମମତାଙ୍କ ଗଡ ଅଟେ । ଏଠାରେ ତାଙ୍କର ପକେଟ୍ ଭୋଟ ରହିଛି । ଯାହା ତାଙ୍କର ବିଜୟୀ ସମ୍ଭାବନାକୁ ବଢାଇଦେଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.