ଚୀନ ସାହାଯ୍ୟରେ ଲାଗୁ କରିବୁ ‘୩୭୦’, ଫାରୁକଙ୍କ ଏହି ବିବାଦୀୟ ବୟାନର ଜବାବ ଦେଲା ବିଜେପି, କହିଲା- ଫାରୁକ ଓ ରାହୁଲ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ

Published By : Prameya-News7 Bureau | October 12, 2020 IST

ନୂଆଦିଲ୍ଲୀ ୧୨।୧୦: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ସଭାପତି ଫାରୁକ ଅବଦୁଲ୍ଲାଙ୍କ ବୟାନ ଉପରେ ରାଜନୈତିକ ହଙ୍ଗାମା ଆରମ୍ଭ ହୋଇ ଯାଇଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଫାରୁକ ଅବଦୁଲ୍ଲାଙ୍କ ଟିପ୍ପଣୀକୁ ଦେଶ ବିରୋଧୀ ଦର୍ଶାଇଛନ୍ତି। ସେ କହିଛନ୍ତି ଫାରୁକ ଚୀନର ମାନସିକତାକୁ ଠିକ୍ ବୋଲି କହୁଛନ୍ତି। ଫାରୁକ ଏମିତି ପ୍ରଥମ ଥର କହି ନାହାନ୍ତି ପୂର୍ବରୁ ମଧ୍ୟ ଅନେକ ଥର ଏମିତି ଟିପ୍ପଣୀ କରି ସାରିଛନ୍ତି। ଯଦି ଆପଣ ଇତିହାସ ଉପରେ ନଜର ପକାଇବେ ଏବଂ ରାହୁଲ ଗାନ୍ଧୀ ନିକଟରେ ଦେଇଥିବା ବୟାନ ଶୁଣିବେ ତେବେ ଆପଣ ଜାଣି ପାରିବେ ଯେ, ଉଭୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ।

ପାତ୍ର କହିଛନ୍ତି, ଫାରୁକ ଚୀନର ବିସ୍ତାରବାଦୀ ନୀତିକୁ ନ୍ୟାୟୋଚିତ କହୁଛନ୍ତି ଏବଂ ଅନ୍ୟପଟେ ଦେଶଦ୍ରୋହୀ ବୟାନ ଦେଉଛନ୍ତି ଯେ, ଭବିଷ୍ୟତରେ ଯଦି ଆମକୁ ସୁଯୋଗ ମିଳେ ତେବେ ଆମେ ଚୀନ ସହିତ ମିଶି ଅନୁଚ୍ଛେଦ ୩୭୦କୁ ରାଜ୍ୟରେ ପୁନର୍ବାର ସ୍ଥାପିତ କରିବୁ। ପାତ୍ର କହିଛନ୍ତି ସେପ୍ଟେମ୍ବର ୨୪ରେ ଫାରୁକ ଅବଦୁଲ୍ଲା କହିଥିଲେ ଯଦି ଆପଣ ଜାମ୍ମୁ-କାଶ୍ମୀର ଯାଇ ଲୋକଙ୍କୁ ପଚାରିବେ ଆପଣ ଭାରତୀୟ କି ନୁହେଁ ତେବେ ଲୋକେ କହିବେ ଆମେ ଭାରତୀୟ ନୁହେଁ। ଫାରୁକ ସେହି ସମୟରେ ଏହା ମଧ୍ୟ କହିଥିଲେ ଭଲ ହେବ ଆମେ ଚୀନ ସହିତ ମିଶିଯିବା। ଏହି ପରି ଫାରୁକ ଅବଦୁଲ୍ଲା ଦେଶଦ୍ରୋହୀ ବୟାନ ଦେବା ସହିତ ଚୀନର ନୀତିକୁ ନ୍ୟାୟୋଚିତ ଦର୍ଶାଉଛନ୍ତି।

ସମ୍ବିତ ପାତ୍ର କହିଛନ୍ତି, ଏହି ରାହୁଲ ଗାନ୍ଧୀ ଗୋଟିଏ ସପ୍ତାହ ପୂର୍ବେ କହିଥିଲେ ପ୍ରଧାନମନ୍ତ୍ରୀ ଭୀରୁ ଅଟନ୍ତି। ଚୀନ ଭୟରେ ଲୁଚି ରହୁଛନ୍ତି। ବାସ୍ତବରେ ପାକିସ୍ତାନ ଓ ଚୀନକୁ ନେଇ ଯେଉଁ ପ୍ରକାରର ନରମ ଭାବ ଏବଂ ଭାରତକୁ ନେଇ ଯେଉଁ ପ୍ରକାରର ଲଜ୍ଜାଜନକ ଚିନ୍ତାଧାରା ଏମାନଙ୍କ ମନରେ ରହିଛି, ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଦେଶର ସାର୍ବଭୌମତ୍ଵ ଉପରେ ପ୍ରଶ୍ନ କରିବା ଏବଂ ଦେଶର ସ୍ଵାଧୀନତା  ଉପରେ ପ୍ରଶ୍ନ ଉଠାଇବା କଣ ଜଣେ ସାଂସଦକୁ ଶୋଭା ଦେଇଥାଏ ବୋଲି ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି।

ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ସଭାପତି ଫାରୁକ ଅବଦୁଲ୍ଲା ରବିବାର କହିଥିଲେ, ସେ ଆଶାବାଦୀ ଯେ ଚୀନ ସମର୍ଥନରେ ଜାମ୍ମୁ-କାଶ୍ମୀରରେ ପୁଣି ଥରେ ଅନୁଚ୍ଛେଦ ୩୭୦ ଲାଗୁ କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.