ଭୁବନେଶ୍ବର ୫|୭: ପାଟକୁରାରେ ୨୦ ତାରଖରେ ଭୋଟଗ୍ରହଣ ପାଇଁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଇଭିଏମ ଏବଂ ଭିଭିପାଟ ମେସିନ ପ୍ରସ୍ତୁତ କରି ରଖାଯାଇଛି। ଏପଟେ ତିନିଦଳ ପକ୍ଷରୁ ରଣନୀତି ଅନୁସାରେ କାର୍ଯ୍ୟଆରମ୍ଭ କରିସାରିଛନ୍ତି । ବିଜେପି ତିନି ଜଣ ବରିଷ୍ଠ ନେତାଙ୍କୁ ନେଇ ଏକ ୬୦ ଜଣିଆ ଟିମ ଗଠନ କରିଥିବା ବେଳେ ବିଜେଡି ସ୍ଥାନୀୟ ବିଧାୟକ ସମେତ ଦୁଇ ମନ୍ତ୍ରୀ ଓ ବିଧାୟକଙ୍କୁ ନେଇ ତିନୋଟି ଟିମ ଗଠନ କରିଛନ୍ତି। । କଂଗ୍ରେସ ବିଜେଡି ଓ ବିଜେପି ଭିତରେ ହୋଇଥିବା ସଲାସୁତୁରାକୁ ନେଇ ପ୍ରଚାର କରିବ। …
ପାଟକୁରାରେ ଆସନ୍ତ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ନିର୍ବାଚନ ଅଧିକାରଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ୩୦୯ ବୁଥରେ ଭୋଟ ଗ୍ରହଣ ହେବ। ଭୋଟ ଗ୍ରହଣ ପାଇଁ ଇଭିଏମ ଓ ଭିଭିପାଟ ମେସିନ ପ୍ରସ୍ତୁତ ହୋଇସାରିଛି। ଏପରିକି ନର୍ବାଚନରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କୁ ତାଲିମ ଦିଆସରିଛି। ଏପରିକି ଗତକାଲି ବିଜ୍ଞପ୍ତି ଜାରି ହେବା ପରେ ଆଚରଣ ସଂହିତା ଲାଗୁ ନେଇ ଉଭୟ ଜିଲ୍ଲା ପ୍ରଶାସନ ଏବଂ ରାଜନୈତିକ ଦଳକୁ ଜଣାଇଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟନିର୍ବାଚନ ଅଧିକାରୀ।
ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ ପରେ ବିଜେଡି ବିଜେପି ଜୋରଦାର କରିଦେଇଛନ୍ତି ସେମାନଙ୍କର କାର୍ଯ୍ୟକ୍ରମ। ପାଟକୁରାରେ ବିଜେଡି ତାର ସମ୍ମାନ ବଞ୍ଚାଇବା ପାଇଁ ସ୍ଥାନୀୟ ବିଧାୟକଙ୍କ ସହିତ ଦୁଇ ମନ୍ତ୍ରୀ ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଜଣେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ତିନୋଟି ଟିମ ଗଠନ କରିଛି । ଗୋଟିଏ ଟିମ୍ରେ ୧୦ ଜଣ ବିଧାୟକ ଅଛନ୍ତି। ଏମାନେ ସମସ୍ତେ ସ୍ଥାନୀୟ ବିଧାୟକଙ୍କୁ ସହଯୋଗ କରିବେ। ପ୍ରତି ବୁଥରୁ ବିଜେଡି ଆକଉଣ୍ଟକୁ କେମିତି ଭୋଟ ଆସିବ ସେ ନେଇ ସମସ୍ତ କର୍ମୀଙ୍କୁ ସଜାଗ କରିଦିଆଯାଇଛି। ଏପଟେ ବିଜେପିର ପ୍ରାର୍ଥୀ ବିଜୟ ମହାପାତ୍ର ସ୍ବାଭିମାନର ଲଢ଼େଇ ଲଢ଼ୁଛନ୍ତି। ସେଥିପାଇଁ କେଭି ସିଂହ ଦେଓ, ଭୃଗୁ ବକ୍ସିପାତ୍ର ଏବଂ ମୋନମୋହନ ସମାଲଙ୍କୁ ନେଇ ବିଜେପି ୬୦ ଜଣିଆ ଟିମ ଗଠନ କରିଛି । ଏପଟେ କଂଗ୍ରେସ ବିଜେଡି ବିଜେପିର ଭିତିରି ବୁଝମଣାକୁ ନେଇ ଗୋଟି ଚଳାଇବାକୁ ଯୋଜନା କରିଛି।
ବାରମ୍ବାର ନିର୍ବାଚନ ଘୁଞ୍ଚିବା ସତ୍ବେ ପାଟକୁରାକୁ କିନ୍ତୁ ନେତା ଛାଡିନଥିଲେ। ସମ୍ମାନ ଓ ସ୍ବାଭିମାନ ଲଢ଼େଇ ପାଇଁ ବିଜେଡି ଓ ବିଜେପି ନେତା ଡେରାପକାଇଛନ୍ତି । ନିର୍ବାଚନ ଆଉ ମାତ୍ର ୧୫ଦିନ ଥିବାରୁ ପ୍ରାର୍ଥୀମାନେ ନିର୍ବାଚନ ମଇଦାନରେ ଆରମ୍ଭ କରିସାରିଛନ୍ତି ପ୍ରଚାର। ମୁଖ୍ୟମନ୍ତ୍ରୀ ପାଟକୁରାରେ ଦୁଇ ଦିନ ରହିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ତିନି କେନ୍ଦ୍ର ମନ୍ତ୍ରୀ ମଧ୍ୟ ପ୍ରଚାର କରିବେ।