ଏବେବି ‘ତିତଲି’ କ୍ଷତିଗ୍ରସ୍ତ ପାଇ ନାହାନ୍ତି ସରକାରୀ ସୁବିଧା-ବିଜେପି
28/11/2018 at 1:37 PM

ଭୁବନେଶ୍ବର ୨୮|୧୧: ‘ତିତଲି’ ପ୍ରଭାବିତ ଅଞ୍ଚଳରୁ ଫେରି ସରକାରଙ୍କ ଉପରେ ବର୍ଷିଲା ବିଜେପି । ଗତକାଲି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ଯାଇଥିଲା ବିଜେପିର ୫ ଜଣିଆ ଟିମ୍ । ସ୍ଥିତି ଅନୁଧ୍ୟାନ ପରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ‘ତିତଲି’ ବାତ୍ୟାର ଦେଢ ମାସ ପରେ ବି ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରିନଥିବା ଅଭିଯୋଗ କରିଛନ୍ତି । ଏହା ମଧ୍ୟ କହିଛନ୍ତି ଲୋକମାନେ ଯେଉଁ ଅସୁବିଧାରେ ଅଛନ୍ତି ତାହା ବର୍ଣ୍ଣନା କରିବା ସମ୍ଭବ ନୁହେଁ । ଘର ଭାଙ୍ଗି ଯାଇଥିବାରୁ ଲୋକେ ହାଡଭଙ୍ଗା ଶୀତରେ ବାହାରେ ପଡିରହିଛନ୍ତି । ୮୩୧ କୋଟି ଟଙ୍କା ସହାୟତା ଦିଆଯାଇଛି ବୋଲି ସରକାର କହୁଥିବା ବେଳେ ବାସ୍ତବରେ ତାହା ଲୋକଙ୍କ ପାଖରେ ପହଞ୍ଚିପାରିନି । ତେଣୁ ସେ ସବୁ ଅର୍ଥ କୁଆଡେ ଗଲା, ତାର ତଦନ୍ତ ହେବା ଦରକାର । ମୁଖ୍ୟମନ୍ତ୍ରୀ ନିଜେ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ଦେଖନ୍ତୁ । ଅନେକ ସ୍ଥାନରେ ଦଳୀୟ ଭିତ୍ତିରେ ଚାଉଳ ଓ ପଲିଥିନ ବଣ୍ଟାଯାଇଛି । ଏ ଯାଏଁ ଅନେକ ଗାଁରେ ବିଦ୍ୟୁତ ଖୁଣ୍ଟି ବି ଲଗାଯାଇନି । ତେଣୁ ସରକାର ଭୁବନେଶ୍ବରରେ ବସି ଘୋଷଣା ନକରି ତୁରନ୍ତ ଅଧିକାରୀମାନଙ୍କୁ ପଠାଇବାକୁ ପ୍ରଦୀପ ପରାମର୍ଶ ଦେଇଛନ୍ତି । ସେପଟେ ବିଜେପି ଅଭିଯୋଗର ଜବାବ ଦେଇଛି ବିଜେଡି । ବାତ୍ୟା ପରେ ୨୨୫ କୋଟି ଟଙ୍କା ସହାୟତା ଦିଆଯାଇଛି । ୧୩୪ କୋଟି ଏଥିପାଇଁ ଖର୍ଚ୍ଚ ହୋଇସାରିଲାଣି । ବାକି ଅର୍ଥ ଦୀର୍ଘମିଆଦି ସୁତ୍ରରେ ଖର୍ଚ୍ଚ ହେବ । ସରକାର ସବୁ କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚିଛନ୍ତି । ବିଜେପି ଅଯଥା ରାଜନୀତି ନକରୁ ବୋଲି କହିଛି ବିଜେଡି ।