କୋଣାର୍କରେ ଗଣ ଦୁଷ୍କର୍ମର ଶିକାର ଯୁବତୀଙ୍କୁ ଭେଟିଲା ବିଜେପି ଓ କଂଗ୍ରେସର ଟିମ: ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

Published By : Prameya-News7 Bureau | October 18, 2018 IST

ପୁରୀ୧୮|୧୦: ଦଶଦିନ ଧରି ବଂଦ କୋଠରୀ ଭିତରେ ଗଣ ଦୁଷ୍କର୍ମର ଶିକାର ହୋଇ ପୁରୀରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବଂଗୀୟ ଯୁବତୀଙ୍କୁ ଭେଟିଛନ୍ତି ମହିଳା ବିଜେପିର ତିନି ଜଣିଆ ଦଳ । ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ବରେ ଭେଟିଥିବା ଏହି ଦଳ ପିଡୀତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ଆଶ୍ବସନା ପ୍ରଦାନ କରିଛନ୍ତି। ବିଜେପିର ଏହି ଦଳ ପୁରୀରେ ପିଡୀତାଙ୍କୁ ଭେଟିବା ପୂର୍ବରୁ କୋଣାର୍କ ଯାଇ କୋଣାର୍କ ଥାନା ଅଧିକାରୀଙ୍କୁ ଭେଟି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ବିଜେପି ନେତ୍ରୀମାନେ ପିଡୀତାଙ୍କୁ ଭେଟିବା ପୂର୍ବରୁ କଂଗ୍ରେସ ମଧ୍ୟ ଗୋଟିଏ ଟିମ ପିଡୀତାଙ୍କୁ ଭେଟିଥିଲେ । ସୂଚନାଯୋଗ୍ୟ ଯେ,  କୋଣାର୍କ ମାର୍କେଟ କଂପ୍ଲକ୍ସ ନିକଟରେ ଏକ ବଂଦ ଘରେ ଗତ ୧୦ ଦିନ ଧରି ଜଣେ ବଂଗୀୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହେଉଥିଲା । ଏହି ଯୁବତୀଙ୍କୁ ବାଂଧି ରଖାଯାଇଥିଲା । ତାଙ୍କୁ ଡ୍ରଗ୍ସ ଦେଇ ପ୍ରତ୍ୟେକ ଦିନ ୧୦ରୁ ୧୨ ଜଣ ଯୁବକ ଦୁଷ୍କର୍ମ କରୁଥିଲେ । ଗତକାଲି କୌଣସିମତେ ବଂଧନରୁ ମୁକୁଳି ପିଡୀତା ଘରର ଛାତ ଉପରକୁ ଯାଇ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ଏଥିସହ କାଗଜରେ ମଧ୍ୟ ସାହାର୍ଯ୍ୟ ପାଇଁ ଲେଖି ତଳକୁ ପକାଇବା ସହ ଅଭିଯୁକ୍ତର ନାଁ ଓ ଫଟୋ ତଳକୁ ପକାଇଥିଲେ । ଫଳରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେିଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ଘରର କବାଟ ବାଂଗି ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରିଥିଲା । ଯୁବତୀଙ୍କୁ ପ୍ରଥମେ ଗୋପ ହସପିଟାଲ ଓ ପରେ ଅବସ୍ଥା ଖରାପ ହେବାରୁ ତାଙ୍କୁ ପୁରୀ ଡାକ୍ତର ଖାନକୁ ସ୍ଥାନାନ୍ତର କରାଯାଇଥିଲା ।   ସୁବାସ ବେହେରା ନାମକ ଜଣେ ବ୍ୟକ୍ତି ଏହି ଯୁବତୀଙ୍କୁ ଯୁବତୀଙ୍କୁ ଆଣି ସଂପୃକ୍ତ ଘରେ ରଖିଥିବା ଜଣାପଡିଛି । ତେବେ ସୁବାସ ବେହେରା ଏବେ ଫେରାର ହୋଇଯାଇଛି। ଯେଉଁଘରେ ରଖାଯାଇ ଦୁଷ୍କର୍ମ କରାଯାଇଥିଲା ସେହି ଘର ମାଲିକଙ୍କୁ ଅଟକ ରଖିଛି ପୋଲିସ । ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.