Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୁଜଙ୍ଗ ଚୁନବେଲାରୀରେ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ରାଜନୀତି, ଅଭିଯୁକ୍ତର ବିଜେଡି ସହ ସଂପୃକ୍ତି ଅଭିଯୋଗ ଆଣିଲା ବିଜେପି, ବିଧାୟକଙ୍କୁ ବି ଟାଣିଲା

11/12/2019 at 2:27 PM

ଭୁବନେଶ୍ବର ୧୧।୧୨: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଚୁନବେଲାରୀ ଗାଁର ଯୁବତୀଙ୍କ ମୃତଦେହ ଉଦ୍ଧାରକୁ ଏବେ ତେଜିଛି ରାଜନୀତି । ଘଟଣାକୁ ନେଇ ବିଜେଡି ବିରୋଧରେ ଅଭିଯୋଗ କରିଛି ବିଜେପି । ଦଳ ପକ୍ଷରୁ କୁହାଯାଇଛି ଯେ, ଯୁବତୀଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ସହ ଶାସକ ଦଳ ସଂପର୍କ ଅଛି । ମୃତ ଯୁବତୀ ଜଣଙ୍କ ଜଗତପୁରର ଏକ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ । ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ପୋଲିସ ମାମଲା ରୁଜୁ କରିଥିଲା । କିନ୍ତୁ ୧୫ଦିନ ବିତିଗଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ଅଭିଯୋଗ ଆଣିଛି ବିଜେପି । ଏହାସହ ଦଳ ଅଭିଯୋଗ କରିଛି, ସମଗ୍ର ରାଜ୍ୟରେ ଦୁଷ୍କର୍ମ ଘଟଣା ବଢ଼ିଚାଲିଛି । ପ୍ରତିଦିନ ୭ରୁ ଅଧିକ ଦୁଷ୍କର୍ମ ଘଟଣା ଘଟୁଛି ।

ଘଟଣାର ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ବୋଲି ଅଭିଯୋଗ କରିଛି ବିଜେପି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତର ବିଜେଡି ଦଳ ସହ ସମ୍ପର୍କରେ ଥିବାରୁ ଘଟଣାକୁ ଓଲଟାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ବିଭୁ ତରାଇ ଏହି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଯୁବତୀଙ୍କ ଅପମୃତ୍ୟୁ ଘଟଣାର ଅଭିଯୁକ୍ତ ଶୁଭ୍ରାଂଶୁ ବିଶ୍ବାଳ ବିଜେଡ଼ିର ଆଗ ଧାଡିର କର୍ମୀ । ତାଙ୍କୁ ସୁରକ୍ଷା ଦେବାକୁ ପାରାଦୀପ ବିଧାୟକ ତୃତୀୟ ମହଲାରୁ ଚାପ ପକାଉଥିବା ବିଜେପି ଅଭିଯୋଗ ଆଣିଛି ।  ମୃତ ଯୁବତୀଙ୍କ ପରିବାର ପୋଲିସ ଡ଼ିଜିଙ୍କୁ ଭେଟିବାକୁ ଚାହିଁଲେ ମଧ୍ୟ ସମୟ ଦିଆଯାଉନାହିଁ । ଏହି ଘଟଣା ନେଇ ୧୭ତାରିଖ ପରେ ସ୍ଥାନୀୟ ଜନସାଧାରଣ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ରେଳରୋକ କରିବେ । ଦୋଷୀ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନହେଲେ ଆଗକୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେପି ରାଜ୍ୟ ଉପସଭାପତି ବିଭୁ ତରାଇ ଚେତାବନୀ ଦେଇଛନ୍ତି ।

   Related Posts