ରାଜ୍ୟବାସୀଙ୍କୁ ମାଗଣାରେ ଭ୍ୟାକସିନ୍ ଦେବାକୁ ଘୋଷଣା ପରେ ବିଜେପି କହିଲା-କେନ୍ଦ୍ର ସରକାରଙ୍କ କାମର କ୍ରେଡିଟ୍ ନେବାକୁ ଚେଷ୍ଟା
10/01/2021 at 2:57 PM

କୋଲକାତା ୧୦/୦୧ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବାବେଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ ଘୋଷଣା କରିଛନ୍ତି। ସେ ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଭ୍ୟାକସିନ ଦେବାକୁ ଘୋଷଣା କରିଛନ୍ତି। ମମତାଙ୍କ ବୟାନ ପରେ ବିଜେପି ତାଙ୍କୁ ଟାର୍ଗେଟ କରିଛି। ବିଜେପି କହିଛି ଯେ ମମତା କେନ୍ଦ୍ର ସରକାରଙ୍କ କାମର କ୍ରେଡିଟ ନିଜେ ନେବାକୁ ଚେଷ୍ଟା କରୁଛନ୍ତି। ବିଜେପି ଲଗାତାର ମମତା ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛି। ଶନିବାର ଦିନ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବର୍ଦ୍ଧମାନରେ ରାଲି ଓ ରୋଡ଼ ଶୋ’ କରିଥିଲେ। ଅପରପକ୍ଷରେ ରାଜ୍ୟପାଳ ଜଗଦୀପ ଧନଖଡ ଅମିତ ଶାହଙ୍କ ସହ ସାକ୍ଷାତ କରିଥିଲେ ଓ ସାକ୍ଷାତ ପରେ କହିଥିଲେ ଯେ ରାଜ୍ୟରେ ଆତଙ୍କ ସଂଗଠନ ସାମ୍ରାଜ୍ୟ ବିସ୍ତାର କରୁଛି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାଗଣା ଭ୍ୟାକସିନ ଦେବାକୁ ଘୋଷଣା କରି ବହୁତ ଖୁସି ଅନୁଭବ କରିଛନ୍ତି ବୋଲି କହିଛନ୍ତି।
ସୂଚନା ଅନୁଯାୟୀ, ୧୬ ତାରିଖରୁ ଆରମ୍ଭ ହେବାକୁଥିବା ଟୀକାକରଣ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ୍ ସ୍ୱାସ୍ଥ୍ୟକର୍ମୀ, ୫୦ ବର୍ଷରୁ ବୟସ୍କ ଲୋକ ଏବଂ ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ରହିଛି। ତେବେ ଏମାନଙ୍କ ଠାରୁ ଟୀକାକରଣ ପାଇଁ ଟଙ୍କା ନିଆଯିବ କି ନାହିଁ ତାହା କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କହିନାହାଁନ୍ତି।
ପ୍ରଧାନମନ୍ତ୍ରୀ ମୋଦି ସୋମବାର ଦିନ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ। କରୋନା ଭ୍ୟାକସିନ ସମ୍ବନ୍ଧୀୟ ଏହି ବୈଠକ ସୋମବାର ଅପରାହ୍ନ ୪ଟା ରେ ବସିବ।