ଗୋଆ ଜିଲ୍ଲା ପରିଷଦ ନିର୍ବାଚନରେ ବାଜି ମାରିଲା ବିଜେପି, ହାତେଇଲା ୩୨ଟି ଆସନ, କଂଗ୍ରେସ ଖାତାକୁ ଗଲା ଏତିକି

Published By : Prameya-News7 Bureau | December 14, 2020 IST

ପାଣାଜି ୧୪।୧୨: ଗୋଆରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି(ବିଜେପି) ଜିଲ୍ଲା ପରିଷଦ ତଥା ପଞ୍ଚାୟତ ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଛି। ଦଳ ୪୯ଟି ଆସନରୁ ୩୨ଟିରେ ବିଜୟୀ ହୋଇଛି। ବିରୋଧୀ କଂଗ୍ରେସ କେବଳ ୪ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି। ସାତଟି ଆସନ ସ୍ଵାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଥିବା ବେଳେ ଏନସିପି ଗୋଟିଏ ଆସନରେ ଜିତିଛି। ଏହା ପୂର୍ବରୁ ବିଜେପି ହାଇଦ୍ରାବାଦ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା।

ନିର୍ବାଚନରେ ବିଜେପିର  ଜଣେ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ଆମ୍ ଆଦମୀ ପାର୍ଟି ମଧ୍ୟ ରାଜ୍ୟରେ ପ୍ରଥମ ଥର ନିଜର ଖାତା ଖୋଲିବାରେ ସଫଳ ହୋଇଛି। ବିଜୟ ଉପରେ ପାର୍ଟି କହିଛି ଏହା ପ୍ରମୋଦ ସାଓ୍ଵନ୍ତଙ୍କ ପାଇଁ ଏକ ବିଜୟ ସଙ୍କେତ। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତଙ୍କୁ କରୋନା ଲକ୍‌ଡାଉନ୍‌ ଓ ମହାମାରୀର ମୁକାବିଲା ପାଇଁ ବିରୋଧୀଙ୍କ ସମାଲୋଚନାର ଶିକାର ହେବାକୁ ପଡିଥିଲା।

ଏହି ସଫଳତା ମୁଖ୍ୟମନ୍ତ୍ରୀ ସାଓ୍ଵନ୍ତ କହିଛନ୍ତି, ଏହି ସଫଳତା ପଇଁ ମୁଁ ଗୋଆବାସୀଙ୍କ ଠାରେ କୃତଜ୍ଞ। ଜନତା ବିଜେପି ଓ ମୋ ନେତୃତ୍ଵରେ କାମ କରୁଥିବା ଗୋଆ ସରକାର ଉପରେ ଭରସା ପ୍ରକଟ କରିଛନ୍ତି ବୋଲି ସେ କହିଛନ୍ତି।

୨୦୨୨ରେ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ  ଯାଉଛି। ଏହି ଦୃଷ୍ଟିରୁ ଏହି ସଫଳତା ବିଜେପି ପାଇଁ ଗୁରୁତ୍ଵ ବହନ କରୁଛି। ଗୋଆ ଫଳାଫଳ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଖୁସି ପ୍ରକାଶ କରିଛନ୍ତି।  ନିର୍ବାଚନରେ ୨୦୦ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। ଡିସେମ୍ବର ୧୨ରେ ଭୋଟ୍‌ ଗ୍ରହଣ ହୋଇଥିଲା। ହେଲେ ମହାମାରୀ ଭୟରେ କମ୍ ଭୋଟ୍ ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.