୩୬୦୦ ହ୍ୱାଟ୍ସ ଆପ ଗ୍ରୁପ ଚଳାଉଛନ୍ତି ବିଜେପିର ସୁପର ଆଡମିନ 'ରାହୁଲ ଡୋଗରା' : ଦିନକୁ ୧୨ ରୁ ୧୪ ଘଣ୍ଟା କରୁଛନ୍ତି କାମ

Published By : Prameya-News7 Bureau | April 17, 2019 IST

ନୂଆଦିଲ୍ଲୀ ୧୭/୪ : ଲୋକସଭା ନିର୍ବାଚନର ମହାସଂଗ୍ରାମ ସୋସିଆଲ ମିଡ଼ିଆରେ ମଧ୍ୟ ଜାରି ରହିଛି | ଦଳ ଗୁଡିକ ପ୍ରାୟ ଦେଢ଼ ମାସ ପୂର୍ବରୁ ସୋସିଆଲ ମିଡ଼ିଆକୁ ରଣକ୍ଷେତ୍ର କରିସାରିଛନ୍ତି | ବିଜେପିର ସୋସିଆଲ ମିଡ଼ିଆର ସୁପର ଆଡମିନ ରାହୁଲ ଡୋଗରା ୩୬୦୦ ହ୍ୱାଟ୍ସ ଆପ ଗ୍ରୁପ ଚଳାଉଛନ୍ତି | ପଂଚାୟତ ସ୍ଥରରୁ ଆରମ୍ଭ କରି ସଂସଦୀୟ ସ୍ଥର ପର୍ଯ୍ୟନ୍ତ ଏବଂ ରାଜ୍ୟ ସ୍ଥରୀୟ ହ୍ୱାଟ୍ସ ଆପ ନେଟୱାର୍କ ପାଇଁ ରାହୁଲ ବିଜେପି ପାଇଁ ଚକ୍ରବ୍ୟୁହ ପ୍ରସ୍ତୁତ କରୁଛନ୍ତି | ଗ୍ରୁପମାନଙ୍କରେ ପ୍ରତ୍ୟେକ ବିଧାନସଭାର ପଂଚୁ ପାଣ୍ଡବ ଅର୍ଥାତ ୫ଜଣ ସଦସ୍ୟଙ୍କ ଜରିଆରେ ସେ ଲୋକଙ୍କ ନିକଟକୁ ନିର୍ବାଚନୀ କମେଣ୍ଟ ଏବଂ ପୋଷ୍ଟ ପହଞ୍ଚାଉଛନ୍ତି |


ରାହୁଲଙ୍କୁ ୨୦୧୬ ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ଅମିତ ଶାହ ହିମାଚଳ ପ୍ରଦେଶ ବିଜେପିର ଆଇଟି ଓ୍ଵିଙ୍ଗର ସହ ସଂଯୋଜକ ଭାବେ ସାମିଲ କରିଥିଲେ | ଏହାପରେ ବିଧାନସଭା ନିର୍ବାଚନ ବେଳେ ରାହୁଲ ରାଜ୍ୟରେ ପ୍ରତ୍ୟେକ ବୁଥ ସ୍ଥରରେ ପାଖାପାଖି ୮ ହଜାର ହ୍ୱାଟ୍ସ ଆପ ଗ୍ରୁପ କରି କାର୍ଯ୍ୟକର୍ତ୍ତାଙ୍କ ସହ ସମ୍ପର୍କ କରୁଥିଲେ | ବିଧାନସଭା ନିର୍ବାଚନ ସାରିବା ପରେ ଏହି ହ୍ୱାଟ୍ସ ଆପ ଗ୍ରୁପ ସଂଖ୍ୟା କମିଯାଇ ୪ ହଜାର ହୋଇଯାଇଥିଲା |


ରାହୁଲଙ୍କ ନେତୃତ୍ୱରେ ମଧ୍ୟ ଅନେକ ଟିମ କାମ କରନ୍ତି | ଲୋକସଭା ନିର୍ବାଚନ ଘୋଷଣା ପରେ ବିଜେପି ଆଇଟି ଟିମ ପାଖାପାଖି ୩୬୦୦ ଗ୍ରୁପ କରିଛନ୍ତି | ଗ୍ରୁପ ସଂଖ୍ୟା କମିଯାଇଥିଲେ ମଧ୍ୟ ପ୍ରତ୍ୟେକ ଗ୍ରୁପରେ ୫୦ ରୁ ୨୫୦ ଲୋକ ଅଛନ୍ତି | ଏହିଭଳି ପ୍ରତ୍ୟେକ ଲୋକସଭା କ୍ଷେତ୍ରରେ ପାଖାପାଖି ଦେଢ଼ ଲକ୍ଷ ଲୋକଙ୍କୁ ସମ୍ପର୍କ କରୁଛନ୍ତି ରାହୁଲ | ଏହି ସବୁ ଗ୍ରୁପକୁ ସୁଚାରୁରୂପେ ଚଳାଇବା ପାଇଁ ରାହୁଲ ଦିନକୁ ୧୨ ରୁ ୧୪ ଘଣ୍ଟା କାମ କରନ୍ତି | ଏହି କାମକୁ ପୁରା କରିବା ପାଇଁ ରାହୁଲଙ୍କ ନେତୃତ୍ୱରେ ରାଜ୍ୟରେ ପାଖାପାଖି ୪୦୦ ଲୋକଙ୍କ କୋର ଟିମ କାମ କରୁଛି |

{"id":104279}


ଆଇଟି ଓ୍ଵିଙ୍ଗର ସହ ସଂଯୋଜକ ରାହୁଲ କହିଛନ୍ତି ଯେ, ପ୍ରତ୍ୟେକ ଲୋକସଭା ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ଅଲଗା ଅଲଗା ଟିମ ରହିଛି | ପ୍ରତ୍ୟେକ ବିଧାନସଭା କ୍ଷେତ୍ରର ଟିମରେ ଜଣେ ସମନ୍ଵୟଵ୍ୟ ସମେତ ୫ଜଣ ସଦସ୍ୟ ଅଛନ୍ତି ଯାହାଙ୍କୁ ପଂଚୁ ପାଣ୍ଡବ କୁହାଯାଏ | ପ୍ରତ୍ୟେକ ପାଣ୍ଡବଙ୍କ ଅଧୀନରେ ୨୦ ରୁ ୨୫ ଲୋକଙ୍କ ଅଲଗା ଟିମ ଥାଏ ଯେଉଁମାନେ ବୁଥ ସ୍ଥରରେ କାମ କରନ୍ତି | ଏହି ପାଣ୍ଡବଙ୍କ ସହାୟତାରେ କଣ୍ଟେଣ୍ଟକୁ ଅଲଗା ଅଲଗା ଗ୍ରୁପକୁ ଫରୱାର୍ଡ଼ କରାଯାଇଥାଏ |


ଯଦି କୌଣସି ସନ୍ଦେଶ ପୁରା ରାଜ୍ୟର ଜନତାଙ୍କ ନିକଟକୁ ପହଞ୍ଚାଇବାକୁ ହୁଏ, ତାହେଲେ ପ୍ରଥମେ ମେସେଜକୁ ୪ଟି ଲୋକସଭା କ୍ଷେତ୍ରର ଗ୍ରୁପ ମାନଙ୍କୁ ପଠାଯାଇଥାଏ | ଏହାପରେ ଏହି ଗ୍ରୁପରେ ଥିବା ପାଣ୍ଡବ ନିଜ ସେନା ଜରିଆରେ ସଂଗଠନାତ୍ମକ ଜିଲ୍ଲା ସ୍ଥର ଏବଂ ପଂଚାୟତ ସ୍ଥରକୁ ମେସେଜ ଫରୱାର୍ଡ଼ କରନ୍ତି |


ଏହା ପାଇଁ ବିଜେପି ପୁରା ଢାଞ୍ଚା ପ୍ରସ୍ତୁତ କରିଛି | ବିଜେପି ରାଜ୍ୟ ଆଇଟି ସଂଯୋଜକ ଚେତନ ବରାଗଟା କହିଛନ୍ତି ଯେ, ପ୍ରଥମଥର ପାଇଁ ହିମାଚଳ ପ୍ରଦେଶ ଏହିଭଳି ହ୍ୱାଟ୍ସ ଆପ ଗ୍ରୁପ ତିଆରି କରିଥିଲା | ଏବେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏହିଭଳି ନେଟୱାର୍କ ପ୍ରସ୍ତୁତ କରାଯାଇଛି | ସେ କହିଛନ୍ତି ଯେ, ବିଧାନସଭା ନିର୍ବାଚନରେ ଆଇଟି ସେଲର ସଫଳତା ପରେ ଟିମକୁ ଆହୁରି ବଢ଼ାଇ ଦିଆଯାଇଛି | ବର୍ତ୍ତମାନ ନିର୍ବାଚନ ପ୍ରଚାର ପାଇଁ ସୋସିଆଲ ମିଡ଼ିଆ ସବୁଠାରୁ ମହତ୍ଵପୁର୍ଣ ଅଙ୍ଗ ହୋଇଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.